କନକ ବ୍ୟୁରୋ : ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ପରୀକ୍ଷା ଫଳ ପ୍ରକାଶ ପାଇବାରେ ଆଉ ବିଳମ୍ବ ହେବନି । ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ ଥିଲା । ତେଣୁ ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାମାନେ ଆଦୌ ବ୍ୟସ୍ତ ନହେବାରୁ କହିଛନ୍ତି ମନ୍ତ୍ରୀ ।
ଆଜି ଯୁକ୍ତ ୩ ଆବେଦନର ଶେଷ ତାରିଖ ରହିଛି । ଯୁକ୍ତ ଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ ୩ ପାଇଁ ଆବେଦନ କରିପାରି ନାହାନ୍ତି । ଏନେଇ ଅଭିଯୋଗ ଆସିବା ପରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯୁକ୍ତ ୩ ଆବେଦନ ଅବଧି ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇଛୁ । ସମୟସୀମା ବୃଦ୍ଧି ପାଇଁ ଆଲୋଚନା ହୋଇଛି । ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଫେବ୍ରୁଆରି ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲା । ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସବୁ ସେଣ୍ଟରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିଲା । ପେପର୍ ଲିକ୍ ରୋକିବାକୁ ବିଶେଷ ଧ୍ୟାନ ଦିଆଯାଇଥିଲା । ୨୦୫ଟି ହବ୍ରେ ରହିଥିଲା ପ୍ରଶ୍ନପତ୍ର । ଏଥିସହ ୫ ଥାକିଆ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିଲା । ସେହିପରି ଏପ୍ରିଲ ୨ ତାରିଖରେ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା । ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଥିଲେ ।