କନକ ବ୍ୟୁରୋ : ସୁରଟର ପୁଣେ ରୋଡ୍ ଅଞ୍ଚଳରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ପୂଜା ସାମଗ୍ରୀ କେନାଲରେ ଭଷାଉଥିବା ସମୟରେ, ଏକ ପରିବାର ଭୁଲବଶତଃ ୨ଲକ୍ଷ ନଗଦ ଟଙ୍କା ଫିଙ୍ଗି ଦେଇଥିଲେ। ନିଜର ଭୁଲ ଜାଣିବା ପରେ, ସେମାନେ ତୁରନ୍ତ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ। ଡୁମହାଲ ଅଗ୍ନିଶମ କେନ୍ଦ୍ରର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଆରମ୍ଭ କରି ୫ଶହ ଟଙ୍କିଆ ୪ଟି ବଣ୍ଡଲ ଉଦ୍ଧାର କରି ପରିବାରଙ୍କ ହାତରେ ଦେଇଛି।
ରିପୋର୍ଟ ଅନୁସାରେ, ପୁନା ଗ୍ରାମ ରୋଡରେ ଥିବା ନିଜାନନ୍ଦ ସୋସାଇଟିରେ ରହୁଥିବା ଲିମ୍ବା ପରିବାରଙ୍କ ଘରେ କିଛି ଦିନ ପୂର୍ବରୁ ଏକ ଧାର୍ମିକ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ଶେଷ ହେବା ପରେ, ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଏକ ଆଲମାରୀରେ ରଖାଯାଇଥିଲା, ପରେ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ପୂଜା ସାମଗ୍ରୀ ଭର୍ତ୍ତି କରି ପୁନେ ରୋଡର ଆମଜିଆ ଟାୱାର ନିକଟ କେନାଲରେ ଫିଙ୍ଗି ଦେଇଥିଲେ। ସେମାନେ ଜାଣି ନ ଥିଲେ ଯେ ସେହି ବ୍ୟାଗରେ ଆଲମାରୀରେ ରଖାଯାଇଥିବା ୨ଲକ୍ଷ ଟଙ୍କା ବି ଭୁଲବସତଃ ରହିଯାଇଥିଲା। ଯେତେବେଳେ ପରିବାର ଲୋକ ଘରକୁ ଫେରି ସିନ୍ଦୁକ ଯାଞ୍ଚ କଲେ, ଟଙ୍କା ଗାଏବ ଥିଲା। କିଛି ସମୟ ପରେ ସେମାନେ ଜାଣିପାରିଲେ ଯେ ପୂଜା ସାମଗ୍ରୀ ସହିତ ଟଙ୍କା ଭୁଲବଶତଃ କେନାଲରେ ଫିଙ୍ଗି ଦିଆଯାଇଛି। ପରିବାର ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ସାହାଯ୍ୟ ପାଇଁ ଡାକିଲେ। ଡୁମହାଲ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି କେନାଲରେ ଖୋଜାଖୋଜି ଆରମ୍ଭ କରିଥିଲେ। ଅଗ୍ନିଶମ ସବ-ଅଫିସର ସୁନୀଲ ଚୌଧୁରୀଙ୍କ ଅନୁଯାୟୀ, ପ୍ରବଳ ସ୍ରୋତ ସତ୍ତ୍ୱେ କର୍ମଚାରୀମାନେ ଅନେକ ଥର କେନାଲରେ ବୁଡ଼ି ବ୍ୟାଗ ଓ ଟଙ୍କା ଖୋଜିବା ଜାରି ରଖିଥିଲେ। ନିରନ୍ତର ପ୍ରୟାସ ପରେ, ଅଗ୍ନିଶମ ବାହିନୀର କର୍ମଚାରୀମାନେ ଶେଷରେ ୫୦୦ ଟଙ୍କିଆ ନୋଟର ଚାରିଟି ବଣ୍ଡଲ ଉଦ୍ଧାର କରି ପରିବାରକୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇ ଦେଇଥିଲେ। କିନ୍ତୁ, କେନାଲରେ କାଚ ପଡ଼ିଥିବାରୁ ଦୁଇ ଜଣ କର୍ମଚାରୀ ଆହତ ହୋଇଥିଲେ। ପରିବାର ସେମାନଙ୍କର ସାହସ ଓ ସହାୟତା ପାଇଁ ଅଗ୍ନିଶମ ବାହିନୀକୁ କୃତଜ୍ଞତା ଜଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/08bbs_55_08032026_111-2026-03-08-19-59-40.jpg)