କନକ ବ୍ୟୁରୋ: ରାଜ୍ୟରେ ସୁଭଦ୍ରାକୁ ନେଇ ବଡ କ୍ରେଜ ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୨ ଲକ୍ଷ ମହିଳା ପଞ୍ଜିକୃତ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ସବୁଠୁ ବଡ କଥାହେଉଛି, ୨ ଲକ୍ଷ ୬୭ହଜାର ମହିଳାଙ୍କ ଆବେଦନକୁ ଖାରଜ କରାଯାଇଛି । ସିଧାସଳଖ କହିବାକୁ ଗଲେ ଏମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି । ଏମାନେ ନିୟମ ଅନୁଯାୟୀ କଟିଲେ ନା ସେମାନଙ୍କ ନାଁକୁ କାଟିଦିଆଗଲା ସେ ନେଇ ଚର୍ଚ୍ଚା ଜାରିରହିଥିବାବେଳେ ସରକାର ଆଜି ନୂଆ ଆଶା ଦେଖାଇଛନ୍ତି । କ୍ୟାବିନେଟ ବୈଠକରେ ଆବେଦନ ପୁନଃବିଚାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

Advertisment

ରାଜ୍ୟର ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଉଦ୍ଦେଶ୍ୟରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ହେବ। ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନକାର୍ଡ ଡାଟାବେସରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଖାରଜ ହୋଇଥିବା ୨ଲକ୍ଷ ୬୭ହଜାର ଆବେଦନର ପୁନଃବିଚାର କରିବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରିବ । ଏବେ ହିତାଧିକାରୀ ଚୟନ ପାଇଁ  ‘ଆଧାର’ ଇ-କେୱାଇସି ମଡ୍ୟୁଲକୁ ସରକାର ବ୍ୟବହାର କରିବେ । ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ଏଟିଏମ୍ ଅବା ଡେବିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ ।

ବାଦ ପଡିଥିବା ସୁଭଦ୍ରା ଆବେଦନକାରୀଙ୍କୁ ଏହି ନିଷ୍ପତ୍ତି ଆଶ୍ବସ୍ତି ଦେଇଛି । ସେପଟେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଖୁବଶୀଘ୍ର ପ୍ରଦାନ ପାଇଁ ବିଚାର କରୁଛନ୍ତି ସରକାର ।