କନକ ବ୍ୟୁରୋ:  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ। ଏସ୍‌ଟିଏଫ୍‌ର ଏକ ଟିମ୍‌ ଏହି ଦାନ୍ତ ଜବତ କରିବା ସହ ୨ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ଆଠମଲ୍ଲିକ ଥାନାରେ ଏହି ପଚରାଉଚରା ଚାଲିଥିଲା ବେଳେ ହାତୀ ଦାନ୍ତ ରାକେଟ୍‌କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଅଧିକ ତଥ୍ୟ ଦେଇନାହିଁ ଏସ୍‌ଟିଏଫ୍‌ ।

Advertisment

ଏପଟେ  ହାତୀ ପାଇଁ ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ରାସ୍ତାରେ ଯାତାୟତ ଠପ। ଘଣ୍ଟା ଘଣ୍ଟା ଅଟକିଲା ଆମ୍ବୁଲାନ୍ସ ସହିତ ଶତାଧିକ ଗାଡି ମଟର। ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ମୟୂରଭଞ୍ଜ ଜିଲ୍ଲା କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ ରହି ଉତ୍ପାତ କରୁଥିବା ୧୮ଟିକିଆ ଝାଡ଼ଖଣ୍ଡି ହାତୀପଲ ଗୁରୁବାର ଅପରାହ୍ନରେ ମୋହନପୁର ଜଙ୍ଗଲ ସଂଲଗ୍ନ ଧାନ ବିଲରେ ବ୍ୟାପକ ଧାନ ଫସଲକୁ ମାଡି ଦଳି ନଷ୍ଟ କରିଥିଲେ ।

ଏହା ସହିତ ବିଳମ୍ବିତ ସନ୍ଧ୍ୟାରେ ବୈଶିଙ୍ଗା-ମାଣତ୍ରୀ ମୁଖ୍ୟ ରାସ୍ତାର ବଡାମ ଠାକୁରାଣୀ ନିକଟରେ ରାସ୍ତା ଅତିକ୍ରମ କରିଥିଲେ। ତେବେ ୧୮ଟିକିଆ ପଲରୁ ୪-୫ ହାତୀ ଅଳ୍ପ ସମୟ ମଧ୍ୟରେ ରାସ୍ତା ଅତିକ୍ରମ କରି ଯାଇଥିଲେ, ହେଲେ ଅନ୍ୟ ହାତୀ ସବୁ ରାସ୍ତା ଅତିକ୍ରମ କରିବାକୁ ଘଣ୍ଟାଧିକ ସମୟ ଲାଗିଥିଲା । ଅନ୍ୟପଟେ ବନବିଭାଗ ସହିତ ସ୍ଥାନୀୟ ଅଞ୍ଚଳବାସୀ ନିଆଁ ହୁଳା ଓ ବାଣ ଦ୍ୱାରା ସେମାନଙ୍କୁ ଶୀଘ୍ର ଶୀଘ୍ର ଘୋଉଡିବାକୁ ଚେଷ୍ଟା କରିଥିଲେ, ଯେଉଁଥିପାଇଁ ସେମାନେ ଉତକ୍ଷିପ୍ତ ହୋଇ ଏଣେତେଣେ ହୋଇଯାଇଥିଲେ । ଏହା ଏକ ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଶହ ଶହ ସଂଖ୍ୟକ ଗାଡି ମୋଟର ଦୁଇପଟେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା । 

ଏମିତିକି ଆମ୍ବୁଲାନ୍ସ ମଧ୍ୟ ଘଣ୍ଟାଧିକ କାଳ ଅଟକି ରହିଥିଲା । ଏହି ସମୟରେ ଏକ ବାଇକ ଚାଳକ ଅମାନିଆ ହୋଇ ରାସ୍ତାରେ ଦ୍ରୁତ ଗତିରେ ପଳାଇଯିବାକୁ ବସିଥିବାବେଳେ ହାତୀ ହାବୁଡ଼ରେ ପଡି ଅଳ୍ପକେ ବର୍ତ୍ତି ଯାଇଥିଲା । ଘଟଣା ସ୍ଥଳରେ ବେତନଟୀ ରେଞ୍ଜର ସମେତ ଏକାଧିକ ବନ କର୍ମଚାରୀ ଓ ଗଜସାଥୀ ରହି ହାତୀପଲର ଗତିପଥକୁ ନିରୀକ୍ଷଣ କରିବା ସହିତ ଲୋକଙ୍କୁ ସତର୍କ କରାଇଛି ।