କନକ ବ୍ୟୁରୋ: ଗୁରୁଙ୍କ ୨ଟି ରୂପ...ଜଣେ ଛାତ୍ର ବତ୍ସଳ, ଅନ୍ୟଜଣଙ୍କ ନାଁରେ ପୁଳା ପୁଳା କଳଙ୍କ । ଜଣେ ଗୁରୁଙ୍କ ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳୁଛନ୍ତି ଛାତ୍ରଛାତ୍ରୀ । ଠିକ୍ ଏହି ସମୟରେ ଅନ୍ୟଜଣେ ଶିକ୍ଷକ୍ଷଙ୍କ ନାଁରେ ଆସିଛି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣା, ଗୁରୁ-ଶିଷ୍ୟଙ୍କ ସର୍ମ୍ପକକୁ କଳଙ୍କିତ କରିଛି। ବ୍ରହ୍ମପୁରର  ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା କବି ବିପିନ ବିହାରୀ ନାୟକଙ୍କ ୭୫ତମ ଜନ୍ମଦିନ ପାଳିଛନ୍ତି ପୁରାତନ ଛାତ୍ରଛାତ୍ରୀ ଓ ସାଥି ସହୋଦର। ଗୁରୁଙ୍କ ପାଦତଳେ ଭକ୍ତି ଓ ସମ୍ମାନ ଅଜାଡ଼ି ଦେଇଛନ୍ତି ସାର୍‌ଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଛାତ୍ର । ଯାହାକୁ ଦେଖି ଭାବ ବିହ୍ବଳ ହୋଇଛନ୍ତି ବିପିନ୍ ସାର। 

Advertisment

ସେପଟେ ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ସ୍କୁଲର ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲ୍ଲିକଙ୍କୁ ଉଠାଇ ନେଇଛି ପୋଲିସ୍। ସ୍କୁଲର ୧୫ ଜଣ ଛାତ୍ରୀ ଶିକ୍ଷକ ଜଣଙ୍କର ଏଭଳି କୁକର୍ମକୁ ନେଇ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଯାହାକୁ ନେଇ ସ୍କୁଲ କମିଟି ଓ ଅଭିଭାବକ ମଧ୍ୟରେ ବୈଠକ ବସିଥିଲା ଶେଷରେ ଏହି ଶିକ୍ଷକ ଜଣଙ୍କୁ ତାଳଚୁଆ ପୋଲିସକୁ ଜିମା ଦିଆଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ବର...କୁହାଯାଏ ଅନ୍ୟ ସମସ୍ତଙ୍କ ତୁଳନାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ ଓ ଏହା ଅତୁଳନୀୟ। ତେବେ ଗଲା କିଛି ଦିନର ଘଟଣାବଳୀକୁ ନେଇ ଗୁରୁ-ଶିଷ୍ୟ ଭଳି ସମ୍ପର୍କରେ ଦେଖିବାକୁ ମିଳୁଛି ଭିନ୍ନତା।