କନକ ବ୍ୟୁରୋ :୩୬ ଘଣ୍ଟାର ଉଦ୍ଧାର ଅଭିଯାନ ପରେ କୋଇଲା ଗଦା ତଳୁ ମିଳିଲା ମୃତଦେହ । ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାର ୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିନଥିବାରୁ ଜାରି ରହିଛି ରେସକ୍ୟୁ ଅପରେସନ । ଅନ୍ୟପଟେ ଉଦ୍ଧାର ୨ ମୃତଦେହକୁ ଚିହ୍ନଟ କରାଯାଇପାରିନାହିଁ। ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍ ଟନ୍ କୋଇଲା ତଳେ ପୋତି ହୋଇଯାଇଥିଲେ କାମ କରୁଥିଲା ଶ୍ରମିକ । କାରଖାନାର ବୈଷୟିକ ଦଳ ସହ ଜିଲ୍ଲାର ୭ଟି  ଅଗ୍ନିଶମ ବାହିନୀ, ଓଡ୍ରାଫ ଦଳ ଓ ପୁଲିସ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳ ମନୋଜ ମହାଜନ, ଡିଆଇଜି ବ୍ରିଜେଶ ରାୟ, ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।