କନକ ବ୍ୟୁରୋ: ଫାଶୀ ଦଣ୍ଡାଦେଶ ପାଇଥିବା ଦୁଇଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ । ତଳ କୋର୍ଟରେ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅଭିଯୋଗକାରୀ । ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ । ୨୦୧୭ ମସିହା ଅକ୍ଟୋବର ମାସ ୧୦ ତାରିଖରେ ଆଠମଲ୍ଲିକ କିଶୋରନଗର ଥାନା ଅଂଚଳରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ହତ୍ୟା କରା ଯାଇଥିଲା । ବାପା ଓ ପୁଅଙ୍କୁ ଅପହରଣ ପରେ ହତ୍ୟା କରଯାଇଥିଲା ବେଳେ ମାଆଙ୍କୁ ତାଙ୍କ ଘରେ ହତ୍ୟା କରଯାଇଥିଲା ।
ଏନେଇ ସ୍ଥାନୀୟ ଥାନାରେ ମାମଲା ହୋଇଥିଲା । ପୁଲିସ ହତ୍ୟା ଅଭିଯୋଗରେ ପ୍ରକାଶ ବେହେରା ଓ ନନ୍ଦ କିଶୋର ସେଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୨୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଏହି ମାମଲାର ଶୁଣାଣି କରି ଆଠମଲ୍ଲିକ ଅତରିକ୍ତ ଜିଲ୍ଲା ଦୌରାଜଜ ଉଭୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଆସିଥିଲେ ଉଭୟ ଅଭିଯୁକ୍ତ । ତେବେ ଏହି ମାମଲାର ଶୁଣାଣି ଶେଷ ହୋଇଥିଲା । ଆଜି ରାୟ ପ୍ରକାଶ ପାଇବା ପରେ ଉଭୟ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ଉପଯୁକ୍ତ ପ୍ରମାଣ ଓ ସାକ୍ଷ୍ୟ ନଥିବା ଯୋଗୁଁ ଉଭୟଙ୍କୁ ନିର୍ଦୋଷରେ ମାନ୍ୟବର ହାଇକୋର୍ଟ ଖଲାସ କରିଛନ୍ତି ।