କନକ ବ୍ୟୁରୋ: ଆଜି ସେହି ଦିନ... ଯେଉଁ ଦିନ ଭାରତ ରଚିଥିଲା ଇତିହାସ । ଭାରତୀୟ କ୍ରିକେଟରେ ଆରମ୍ଭ ହୋଇଥିଲା ନୂଆ ଯୁଗ । କାରଣ ଆଜିର ଦିନରେ ଭାରତ ଜିତିଥିଲା ପ୍ରଥମ ବିଶ୍ୱକପ । ଆଉ ଏହି କାହାଣୀ ହେଉଛି ବିଶ୍ୱକପ ୧୯୮୩ର । ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଅଷ୍ଟ୍ରେଲିଆ... କ୍ରିକେଟ ବିଶ୍ୱକପ ଆରମ୍ଭରୁ ଏହି ଟିମ୍‌ କ୍ରିକେଟ ଜଗତରେ ନିଜର ଦବଦବା ରଖିଥିଲେ । ୧୯୭୫, ୧୯୭୯ ବିଶ୍ୱକପ ଜିତି ୱେଷ୍ଟଇଣ୍ଡିଜ୍ ବିଶ୍ୱ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିଲା । ହେଲେ ୧୯୮୩ ବିଶ୍ୱକପରେ ଏମିତି ହେବ ତାହା କେହି କେବେ ଭାବି ପାରିନଥିଲେ । କାରଣ, ୧୯୮୩ ବିଶ୍ୱକପ ପୂର୍ବରୁ ଭାରତ ଦୁଇଟି ବିଶ୍ୱକପ ଖେଳି ମାତ୍ର ଗୋଟିଏ ହିଁ ମ୍ୟାଚରେ ବିଜୟୀ ହୋଇପାରିଥିଲା । ହେଲେ ୧୯୮୩ରେ ଭାରତ ଏମିତି ଖେଳିଥିଲା ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ଭାରତ ଦୁର୍ଦ୍ଧଶ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ୱ ବିଜେତା ବନିଥିଲା ।

Advertisment

୧୯୮୩ ଜୁନ ୨୫ ତାରିଖ, ଭାରତୀୟ କ୍ରିକେଟ ପାଇଁ ଏହି ଦିନ ଚିର ସ୍ମରଣୀୟ । କାରଣ ଏହି ଦିନ ଭାରତ ହାତେଇଥିଲା ତାର ପ୍ରଥମ କ୍ରିକେଟ ବିଶ୍ୱକପ । ୧୯୮୩ ବିଶ୍ୱକପ ଯେବେ, ଇଂଲଣ୍ଡର ଛାତି ଉପରେ ଛିଡ଼ା ହୋଇ ବିଜୟ ବାନା ଉଡ଼ାଇଥିଲା ଭାରତ । କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ସେତେବେଳର ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳକୁ ଚିତପତାଙ୍ଗ୍‌ କରିଥିଲା । ଏହି ବର୍ଷ ପରଠୁ ଭାରତୀୟ କ୍ରିକେଟରେ ଆରମ୍ଭ ହୋଇଥିଲା ଗୋଲ୍ଡେନ ଯୁଗ ।

୧୯୮୩ ମସିହା, ଜୁନ ୨୫ ତାରିଖ, ସ୍ଥାନ ଇଂଲଣ୍ଡର ଲର୍ଡସ ଷ୍ଟାଡିୟମ । ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଥାଏ । ଆଉ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତି ଡିପେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଓ ଭାରତ । ଏହି ମ୍ୟାଚରେ ବିଜୟୀ ହେବା ପାଇଁ ଦୁଇ ଦଳ ପକ୍ଷରୁ ଚାଲିଥାଏ ରଣନୀତି । ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳର ପଲ୍ଲା ଭାରି ଥାଏ । କାରଣ ସେହି ସମୟରେ ବେଶ ଶକ୍ତିଶାଳୀ ଟିମ ଥିଲା ଇଣ୍ଡିଜ । ଗତ ଦୁଇଟି ବିଶ୍ୱକପର ଟାଇଟଲ ମଧ୍ୟ ନିଜ ନାଁରେ କରିସାରିଥିଲା । ଯାହାକି ଭାରତୀୟ ଟିମ ପାଇଁ ବଡ଼ ଚିନ୍ତାର କାରଣ ଥିଲା ।

ମ୍ୟାଚ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଟସ୍‌ ଜିତି ଇଣ୍ଡିଜ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ କରିଥିଲା ଭାରତ । ଦଳରେ କପିଳ ଦେବ, ସୁନୀଲ ଗାଭାସ୍କର, ମହିନ୍ଦର ଅମରନାଥଙ୍କ ଭଳି ଖେଳାଳି ଥାଇ ମଧ୍ୟ ଭାରତ ବିଫଳ ହୋଇଥିଲା । କାରଣ ସାମ୍ନାରେ ଥିଲା ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଦଳ । ଟିମ ଇଣ୍ଡିଆ ପକ୍ଷରୁ ଶ୍ରୀକାନ୍ତ ୩୮, ଅମରନାଥ ୨୬ ଓ ସନ୍ଦିପ ପାଟିଲ ୨୭ ରନ କରିଥିଲେ । ଫଳରେ ଦଳ ୫୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା ।

୧୮୪ ରନର ବିଜୟ ଲକ୍ଷ୍ୟ ୱେଷ୍ଟଇଣ୍ଡିଜ ଟିମ ପାଇଁ କିଛି ବି ନଥିଲା । କାରଣ ଦଳରେ ଥିଲେ ଭିଭାନ ରିଚାର୍ଡସ । ଯିଏକି ୱେଷ୍ଟଇଣ୍ଡିଜକୁ ଏକାକୀ ବିଜୟୀ କରାଇବାର ଦକ୍ଷତା ରଖିଥିଲେ । ସମସ୍ତେ ଭାବି ସାରିଥିଲେ ୱେଷ୍ଟଇଣ୍ଡିଜ ଏହି ମ୍ୟାଚ୍‌ ଜିତି ହାଟ୍ରିକ ବିଜେତା ବନିବ । ହେଲେ ପୂରା ଅଙ୍କ ବଦଳାଇଦେଇଥିଲା ଭାରତୀୟ ବୋଲିଂ ବିଭାଗ ।

ୱେଷ୍ଟଇଣ୍ଡିଜ ଦଳ ବ୍ୟାଟିଂ ଆରମ୍ଭ କରିଥିଲା । ଏତେ କମ ବିଜୟ ଲକ୍ଷ୍ୟ ଥିବାରୁ ଦୃଢ ଆତ୍ମବିଶ୍ୱାସ ନେଇ ଖେଳୁଥାନ୍ତି ଇଣ୍ଡିଜ ଖେଳାଳି । ପ୍ରଥମ ୱିକେଟ ଯିବା ପରେ ବ୍ୟାଟିଂ ପାଇଁ ଆସିଥିଲେ ଭିଭାନ ରିଚାର୍ଡସ । ୨/୩ ଓଭର ଧିମା ଖେଳିବା ପରେ ନିଜ ଆକ୍ରାମକ ରୂପ ଦେଖାଇଥିଲେ । ଯାହା କପିଳ ଦେବଙ୍କୁ ଚିନ୍ତାରେ ପକାଇଥିଲା । କାରଣ ଦଳର ପ୍ରମୁଖ ବୋଲର ମଦନଲାଲ ବି ତାଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏହାପରେ ରିଚାର୍ଡସନଙ୍କ ପାଇଁ ହୋଇଥିଲା ରଣନୀତି । ଶେଷରେ ରିଚାର୍ଡସନ ୩୩ ରନ୍‌ କରି ମଦନଲାଲଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ ।

ଏହାପରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ଇଣ୍ଡିଜ ଦଳ । ୫୨ ଓଭର ଖେଳି ୧୪୦ ରନରେ ଅଲ ଆଉଟ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ ଦଳ । ଫଳରେ ଭାରତ ଏହି ମ୍ୟାଚକୁ ୪୩ ରନରେ ଜିତି ନେଇଥିଲା । ଆଉ ବନିଯାଇଥିଲା କ୍ରିକେଟ ବିଶ୍ୱକପର ବିଶ୍ୱ ବିଜେତା ।