କନକ ବ୍ୟୁରୋ: ବଦଳିଲା ସରକାର, ବଦଳିଲା ନିଷ୍ପତ୍ତି । ପୁରୀରେ ଭଙ୍ଗା ଯାଇଥିବା ମଠର ହେବ ପୁନର୍ବାସ । ଏଣିକି ଶ୍ରୀକ୍ଷେତ୍ରରେ ପୁଣି ଚାଲିବ ସାଧୁସନ୍ନ୍ୟାସୀଙ୍କ ଭଜନ କୀର୍ତ୍ତନ । ଏନେଇ ସରକାର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି । ଆଇନମନ୍ତ୍ରୀଙ୍କ ଏ ସମ୍ପର୍କିତ ବୟାନ ଆଜି ପୁଣିଥରେ ଚର୍ଚ୍ଚା ବଢ଼ାଇଛି । 

Advertisment

ସିନ୍ଦୂରା ଫାଟିଲେ ଶୁଭୁନଥିଲା ଓଁକାର । ସଞ୍ଜହେଲେ ଜଳିପାରୁନଥିଲା ସଳିତା । ଶ୍ରୀକ୍ଷେତ୍ରରେ କେବଳ ଶୁଭୁଥିଲା ବୁଲଡୋଜରର ବିକଟାଳ ଶବ୍ଦ ଆଉ ସାଧୁସନ୍ଥଙ୍କ ଆର୍ତ୍ତନାଦ । ତପୋଭୂମି ପୁରୀ ଦେଖୁଥିଲା ଐତିହ୍ୟର ଧ୍ବଂସଲୀଳା । ପରିକ୍ରମା ପ୍ରକଳ୍ପ ନାଁରେ ମାଟିରେ ମିଶିଥିଲା ଶହଶହ ବର୍ଷର ମଠମନ୍ଦିର । କିନ୍ତୁ ଏ ମଠର ସଂରକ୍ଷଣ ଓ ପୁନର୍ବାସ ଲାଗି କୌଣସି ବ୍ୟବସ୍ଥା କରାଯାଇନଥିଲା । ଏନେଇ ଲୋକଙ୍କ ଅସନ୍ତୋଷରେ ମଲମ ଲଗାଇ ନୂଆ ସରକାର ନେଇଛନ୍ତି ପଦକ୍ଷେପ । ଭଙ୍ଗା ଯାଇଥିବା ୧୯ଟି ମଠର ପୁନର୍ବାସ ଲାଗି ଯୋଜନା କରାଯାଇଛି । ପୁରୀ ଗଦାଧର ହାଇସ୍କୁଲ ପାଖରେ ଏନେଇ ଜମି ଚିହ୍ନଟ ହୋଇଛି । ଦେବୋତ୍ତର କମିସନଙ୍କ ସହ ବୈଠକ ହୋଇଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । 

୨୦୧୯ରୁ ୨୦୨୨ ଭିତରେ ଅକାଳ ମୃତ୍ୟୁ ଦେଖିଥିଲା ଗୋଟିଏ ପରେ ଗୋଟିଏ ମଠ । ଏମିତିକି ନଅଙ୍କ ଦୁର୍ଭିକ୍ଷରେ ଓଡ଼ିଆଙ୍କ ମୁହଁରେ ଆହାର ଦେଇଥିବା ଏମାର ମଠ ବି ବାଦ୍‌ ପଡ଼ିନଥିଲା । ୫୦୦ କୋଟିର ପରିକ୍ରମା ପ୍ରକଳ୍ପ ଆଳରେ ଶ୍ରୀମନ୍ଦିର ସହ ଜଡ଼ିତ ମଠର ବିଜେସ୍ଥଳୀ ଭାଙ୍ଗିଥିଲେ ସରକାର । ୧୪୦୨ ମସିହାର ମଙ୍ଗୁ ମଠ ଭଙ୍ଗା ବେଳେ ଶିଖ୍‌ ସମ୍ପ୍ରଦାୟଙ୍କ ବିରୋଧ ସଂଖ୍ୟାଲଘୁ କମିସନଙ୍କ ଯାଏ ମଧ୍ୟ ଯାଇଥିଲା । ଏବେ ଗୋଟିଏ ସ୍ଥାନରେ ପୁରୁଣା ମଠର ପୁନର୍ବାସ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି । 

ପୁରୀରେ ଶତାଧିକ ମଠ ସ୍ଥାପନର ଉଦ୍ଦେଶ୍ୟ ଥିଲା ହିନ୍ଦୁ ଧର୍ମ ତଥା ଶ୍ରୀଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରଚାର ପ୍ରସାର । ବିଦେଶାଗତ ସାଧୁସନ୍ନ୍ୟାସୀଙ୍କ ଲାଗି ଭଜନ କୀର୍ତ୍ତନର ଏହା କେବଳ ପୀଠ ନଥିଲା; ବରଂ, ଧର୍ମ, ସଂସ୍କୃତି, ଶିକ୍ଷା, ସ୍ବାସ୍ଥ୍ୟ ଓ ସଂଗ୍ରହାଳୟ ଆଦି ଦିଗରେ ମଠମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ପୁରୀରେ ଗୋଟିଏ ସ୍ଥାନରେ ସବୁ ମଠର ବିଜେସ୍ଥଳୀ ରହିଲେ ପୁଣି ଶ୍ରୀକ୍ଷେତ୍ରରେ ସାଧୁସନ୍ଥଙ୍କ ସମାବେଶ ହେବା ସହ ଭଜନ ଜଣାଣରେ କମ୍ପିଉଠିବ ବଡ଼ଦାଣ୍ଡ ।