ନକଲି ଶବ୍ଦଟି ସବୁବେଳେ ଅରୁଚିକର । ସେ ଖାଦ୍ୟପଦାର୍ଥ ହେଉ କି ପଦବୀ ପାଇବାର ନିଶା । ସର୍ଟକର୍ଟ ବାଟ ମାନେ ଖାଲରେ ପଡ଼ିବା ସାର । ଏହି କଥାକୁ ସାମଞ୍ଜସ୍ୟ କରୁଥିବା ଭଳି ଏକ ଖବର ବିହାରର ଜମୁଇ ଜିଲ୍ଲାରୁ ଆସିଛି । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିବେ , ଏମିତି ବି ହୁଏ ! 

Advertisment

Fake IPS

ଘଟଣାଟି କିଛି ଏମିତି , ଜମୁଇର ସିକନ୍ଦରା ପୁଲିସ୍ ଜଣେ ୧୮ ବର୍ଷୀୟ ନକଲି ଆଇପିଏସଙ୍କୁ ଗିରଫ କରିଛନ୍ତି । ଯିଏ ୨ ଲକ୍ଷ ଟଙ୍କା ଦେଇ ଆଇପିଏସ୍ ଅଧିକାରୀ ସାଜିଥିଲେ । ପୁଲିସର ତଦନ୍ତ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବି ଚକିତ କଲା ଭଳି । ମିଥିଲେସ୍ ନାମକ ଏହି ୧୮ ବର୍ଷୀୟ ଯୁବକ ଆଇପିଏସ୍ ୟୁନିଫର୍ମ ପିନ୍ଧି , ଅଣ୍ଟାରେ ବନ୍ଧୁକ ଲଟକାଇ ପାଖାପାଖି ୨ ଲକ୍ଷ ଟଙ୍କାର ବାଇକ୍ ଉପରେ ବସି ଘରୁ ବାହାରିଥିଲା । ନୂଆ ନୂଆ ୟୁନିଫର୍ମ ପିନ୍ଧିବେ ଆଉ ଲୋକଙ୍କୁ ଦେଖେଇବେନି , ଏ କ’ଣ ହେଇପାରିବ । ମିଥିଲେସ୍ ବାଟରେ ବାଇକ୍ ରଖି କିଛି ସମୟ ଛିଡ଼ା ହେଲେ ଆଉ ତାପରେ କ’ଣ ୟୁନିଫର୍ମ ପିନ୍ଧା କମ୍ ବୟସ ଯୁବକକୁ ଦେଖି ଗାଁଲୋକଙ୍କ ଯେମିତି ଭିଡ଼ ଲାଗିଗଲା । ଯୁବକଙ୍କ ହାବଭାବ ଦେଖି କେହି ଜଣେ ବ୍ୟକ୍ତି ପୁଲିସକୁ ଫୋନ୍ କରି ଜଣାଇଦେଲେ । ପିସିଆର୍ ଭ୍ୟାନ୍ ଆସିଲା , ମିଥିଲେସକୁ ଥାନାକୁ ଭିଡ଼ିନେଲା । ପଚରାଉଚରା ପରେ ସାମ୍ନାକୁ ଯେଉଁ ତଥ୍ୟ ଆସିଲା ତାହା ପୁଲିସର ମୁଣ୍ଡବ୍ୟଥା କରିଦେଲା ଭଳି । 

ଯୁବକ ଜଣକ କହିଲେ ମନୋଜ ସିଂ ନାମକ ଜଣେ ବ୍ୟକ୍ତି ତାଙ୍କୁ ପୁଲିସ୍ ବିଭାଗରେ ଚାକିରି କରାଇଦେବାକୁ କହି ୨ ଲକ୍ଷ ୩୦ ହଜାର ଟଙ୍କା ନେଇଛନ୍ତି । ମିଥଲେସ୍ ଚାକିରି ପାଇବା ପାଇଁ ନିଜ ମାମୁଁଙ୍କ ଠାରୁ ୨ ଲକ୍ଷ ଟଙ୍କା ଋଣ ନେଇ ମନୋଜ ସିଂଙ୍କୁ ଦେଇଥିଲେ । ଧ୍ରୁତ ବ୍ୟକ୍ତିଜଣକ ଯୁବକଙ୍କ ଶରୀରର ମାପ ନେଇ ତାଙ୍କୁ ଆଇପିଏସ୍ ୟୁନିଫର୍ମ ସହ ବ୍ୟାଚ୍ ଏବଂ ବନ୍ଧୁକ ଧରାଇଦେଲେ । ମିଥିଲେସ୍ ୟୁନିଫର୍ମ ପିନ୍ଧି ପରିବାରର ଆଶିର୍ବାଦ ନେଇ ମନୋଜ ସିଂକୁ ଭେଟିବାକୁ ବାହାରିପଡ଼ିଲେ । ବଳକା ୩୦ ହଜାର ଟଙ୍କା ଦେବାକୁ ମିଥିଲେସ୍ ମନୋଜଙ୍କ ପାଖକୁ ଯାଉଥିବା ବେଳେ ବାଟରେ ତାଙ୍କୁ ପୁଲିସ୍ ଗିରଫ କଲା । ତେବେ ଏହି ଘଟଣା ଏବେ ପୁଲିସର ମୁଣ୍ଡବ୍ୟଥା କରିଦେଇଛି । ଉକ୍ତ ଧ୍ରୁତବ୍ୟକ୍ତିଙ୍କୁ ଧରିବାକୁ ପୁଲିସ୍ ନିଜ ପଞ୍ଝା ବିିସ୍ତାର କଲାଣି ।