exam Photograph: (kanak news)
କନକ ବ୍ୟୁରୋ : ସାରା ଦେଶରେ ମ୍ୟାଟ୍ରିକ ଓ ଇଣ୍ଟରମିଡିଏଟ ପରୀକ୍ଷା ଆରମ୍ଭ ହୋଇଯାଇଛି। ପରୀକ୍ଷାରେ କପି ରୋକିବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି। ତେବେ ଝାଡ଼ଖଣ୍ଡର ଗଢ଼ବା ଜିଲ୍ଲାରେ ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଜିଷ୍ଟ୍ରେଟ୍ଙ୍କ ସହିତ ୧୮ ପର୍ଯ୍ୟବେକ୍ଷକ ଓ ୧୨ ପୁଲିସ ନିୟୋଜିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ଶଙ୍କର କୁମାର ସିଂହ ନାମକ ଦଶମ ଶ୍ରେଣୀର ଏହି ଛାତ୍ର ଜଣକ ସଙ୍ଗୀତକୁ ପରୀକ୍ଷା ବିଷୟ ଭାବରେ ବାଛିଥିଲେ। ତାଙ୍କର ପରୀକ୍ଷା କେନ୍ଦ୍ର ରମକଣ୍ଡା ବ୍ଲକ ଅନ୍ତର୍ଗତ ହର୍ହେର ଅପଗ୍ରେଡେଡ୍ ମଧ୍ୟ ବିଦ୍ୟାଳୟରେ ସ୍ଥାପନ କରାଯାଇଥିଲା। ସିଂହ ପରୀକ୍ଷା ଦେବାବେଳେ ପରୀକ୍ଷା ହଲ୍ ସିସିଟିଭି ନଜରରେ ରଖାଯାଇଥିଲା, ଜଣେ ମାଜିଷ୍ଟ୍ରେଟ୍ ଡ୍ୟୁଟିରେ ନିଯୁକ୍ତ ହୋଇଥିଲେ, ୧୮ ଜଣ ପର୍ଯ୍ୟବେକ୍ଷକ ଓ ୧୨ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ଏତେ କଡ଼ା ବ୍ୟବସ୍ଥା ସମସ୍ତଙ୍କୁ ଚକିତ କରିଥିଲା ।
ଝାଡ଼ଖଣ୍ଡରେ ବର୍ତ୍ତମାନ ମ୍ୟାଟ୍ରିକ ଓ ଇଣ୍ଟରମିଡିଏଟ୍ ପରୀକ୍ଷା କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭିତରେ ଚାଲିଛି। ହର୍ହେ କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ୪୦୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। କେବଳ ୩ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ତେବେ ଶଙ୍କର ସିଂହଙ୍କ ବ୍ୟତୀତ ଅନ୍ୟ କେହି ସଙ୍ଗୀତକୁ ବିଷୟବସ୍ତୁ କରି ନଥିଲେ। ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ହର୍ଷ ଜ୍ୟୋତି ଶୁକ୍ଲା କହିଛନ୍ତି, ପରୀକ୍ଷାକେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ପରିମଳ ସୁବିଧା କରାଯାଇଥିଲା। ପରୀକ୍ଷାକେନ୍ଦ୍ର ସିସିଟିଭି ନିରୀକ୍ଷଣରେ ରହିଥିଲା। ସୋମବାର ସଂସ୍କୃତ ପରୀକ୍ଷା ସହିତ କେନ୍ଦ୍ରରେ ସମସ୍ତ ପରୀକ୍ଷା ଶେଷ ହୋଇଯାଇଛି ।
ଅଧିକ ପଢ଼ନ୍ତୁ---ମିଥ୍ୟା ଏନକାଉଣ୍ଟରର ତାଣ୍ଡବ : ୯୨୪ ଜଣଙ୍କ ମୃତ୍ୟୁ ନେଇ ମାନବାଧିକାର କମିସନ କଠୋର
Follow Us