କନକ ବ୍ୟୁରୋ: ଦିନେ ନୁହେଁ କି ଓଳିଏ ନୁହେଁ ୧୭ ବର୍ଷ ହେଲାଣି ଯନ୍ତ୍ରଣାରେ ଛଟପଟ ହେଉଛି ପରିବାର । ଝିଅ ନା କଥା କହିପାରେ ନା ଚାଲିପାରେ । ଝିଅକୁ ଭଲ କରିବାକୁ ପରିବାର ପାଖରେ ପଇସା ନାହିଁ । ସରକାରଙ୍କୁ ସାହାଯ୍ୟ ଟିକେ ଯୋଗାଇଦେବାକୁ ନେହୁରା ହୋଇଛି ପରିବାର । କଟକ ଜିଲ୍ଲା ସାଲେପୁର ବ୍ଲକ ସୌରୀ ପଞ୍ଚାୟତର ଜାହାଙ୍ଗୀରାବାଦ ଗାଁର ୧୭ ବର୍ଷ ଝିଅର ଦୁଃଖର କାହାଣୀ କହିଲେ ନସରେ ।
ଜନ୍ମରୁ ପାଟି ଫିଟେନି । ହାତ ଗୋଡ଼ ବି ଅଚଳ । ଏହାରି ଭିତରେ ବୟସ ବଢ଼ି ୧୭ ଛୁଇଁଲାଣି । କିନ୍ତୁ ସେ ନିଜ କର୍ମ କରିବାକୁ ଅକ୍ଷମ । ଖାଇବା ପିଇବା ଠୁ ଆରମ୍ଭ କରି ନିତ୍ୟକର୍ମ ସବୁ ମା’ କରନ୍ତି । ନାବାଳିକା ଜଣଙ୍କ ହେଉଛନ୍ତି ସାଲେପୁର ବ୍ଲକ ଅନ୍ତର୍ଗତ ଜାହାଙ୍ଗିରାବାଦ ଗାଁର ନନ୍ଦିନୀ । ୬ ବର୍ଷ ବୟସରୁ ଅଜଣା ରୋଗ ନଷ୍ଟ କରିଦେଲା ଶୈଶବ । ଜୀବନକୁ ଭାରି ପଡ଼ିଛି ଯନ୍ତ୍ରଣା ।
ମୂଲ ଲାଗୁଥିବା ବାପା ଝିଅର ଚିକିତ୍ସା କରାଇବା ସମ୍ଭବପର ହେଉନାହିଁ । ତେଣୁ ଅସହାୟ ହୋଇ ପିଲାକୁ ଘରେ ରଖି ତାର ସେବା ଶୁଶ୍ରୂଷା କରିଚାଲିଛନ୍ତି । ସେପଟେ ନନ୍ଦିନୀ ୧୦୦% ଭିନ୍ନକ୍ଷମ ଥିଲେ ବି ତାଙ୍କୁ ସରକାରଙ୍କ ବର୍ଦ୍ଧିତ ଭତ୍ତା ମିଳୁନାହିଁ । ସରକାରୀ ସହାୟତା ଯୋଗାଇବା ସହ ଉପଯୁକ୍ତ ଚିକିତ୍ସା ମିଳିଲେ ନନ୍ଦିନୀ ଚାଲିବା ସହ ନିଜ ନିତ୍ୟକର୍ମ କରିପାରିବେ ବୋଲି ଆଶା ରଖିଛନ୍ତି ବାପା ମା’।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/26/salepur-2025-09-26-18-11-07.png)