କନକ ବ୍ୟୁରୋ : ୧୭ବର୍ଷର ଅପେକ୍ଷା ତଥାପି ମିଳିନି ନ୍ୟାୟ । ପୁଅ ହତ୍ୟାର ନ୍ୟାୟ ପାଇଁ ୧୭ ବର୍ଷ ହେଲା ଲଢ଼ୁଛନ୍ତି ବାପା । ଗୋପାଳପୁର ଗଣଦୁଷ୍କର୍ମ ମାମଲା ପୁଣି ମନେ ପକାଇ ଦେଇଛି ୨୦୦୮ରେ ହୋଇଥିବା ଆଶିଷ ତ୍ରିପାଠୀ ହତ୍ୟାକାଣ୍ଡ । ୨୦୦୮ରେ ୨୮ ବର୍ଷୀୟ ପୁଅ ଆଶିଷ ତ୍ରିପାଠୀଙ୍କୁ ହରାଇଥିଲେ ବ୍ରହ୍ମପୁର ରଘୁପତିନଗରର ନାରାୟଣ ତ୍ରିପାଠୀ । ହେଲେ ୧୭ବର୍ଷ ବିତିଗଲାଣି କିନ୍ତୁ ତାଙ୍କୁ ନ୍ୟାୟ ମିଳିନି । ୨୦୦୮ ନଭେମ୍ବର ୨୧ତାରିଖରେ ଆଶିଷ ନିଜ ସହପାଠିନୀଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ୮ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିବାରୁ ଆଶିଷ ଏହାକୁ ପ୍ରତିବାଦ କରିଥିଲେ । ଏହାପରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଶିଷଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଦେଖୁ ଦେଖୁ ୧୭ ବର୍ଷ ବିତିଗଲା । ଏହି ସମ୍ବେଦନଶୀଳ ମାମଲାରେ ୭ ଜଣ ଅଭିଯୁକ୍ତ ଦୁଇବର୍ଷ ପୂର୍ବେ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି । ପୁଲିସ ରେକର୍ଡ଼ରେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର । କିନ୍ତୁ ଏବେ ବି ୭୬ ବର୍ଷ ବୟସରେ ପୁଅକୁ ନ୍ୟାୟ ଦେବା ପାଇଁ ଲଢ଼ୁଛନ୍ତି ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ ।
ଆଶିଷଙ୍କୁ ହତ୍ୟା କରିବା ପରେ ତାଙ୍କ ମୋବାଇଲ ଫୋନ ନେଇଯାଇଥିଲେ ହତ୍ୟାକାରୀ । ଯାହାକୁ ଟ୍ରାକ କରି ପ୍ରଥମ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିଲା । ଅନ୍ୟ ୬ଜଣଙ୍କୁ ଗୋଳାବନ୍ଧରୁ ଗିରଫ କରାଯାଇଥିଲା । ତେବେ ସମସ୍ତ ଅଭିଯୁକ୍ତ ତଳକୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ନ୍ୟାୟ ପାଇଁ ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୋଲିସର ଉଚ୍ଚପଦସ୍ତ ଅଧିକାରୀଙ୍କୁ ଭେଟିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/21/17-years-ago-2025-06-21-13-38-34.jpg)