କନକ ବ୍ୟୁରୋ : ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତରେ ଫସିଲେ ଛତିଶଗଡ଼ର ୧୭ ଜଣ ପର୍ଯ୍ୟଟକ । ବର୍ଷା ଓ ଅନ୍ଧାର ରାତିରେ ବାଟବଣା ହୋଇ ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଛନ୍ତି ପର୍ଯ୍ୟଟକ । ସନ୍ଧ୍ୟା ସାଢେ ୭ଟାରେ ନିକଟ ଟୋଲ୍ ଫ୍ରି ନମ୍ୱରକୁ ଫୋନ କରି ଜଙ୍ଗଲରେ ଫସିଯାଇଥିବା ସୂଚନା ଦେଇଥିଲେ । ଏହି ଖବର ପାଇବା ପରେ ପାଇକମାଲ ପୁଲିସ, ଡିଭିଏଫ ଟିମ୍, ପାଇକମାଲ ଫରେଷ୍ଟ ଫୋର୍ସ ଉଦ୍ଧାର ପାଇଁ ପହଞ୍ଚିଥିଲେ। ହେଲେ ରାତି ବଢ଼ିବା ସହ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଭୋରରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ପର୍ଯ୍ୟଟକଙ୍କ ମୋବାଇଲ ଲୋକେସନରୁ ଜଣାପଡ଼ିଛି ଯେ ସେମାନେ ଗନ୍ଧମାର୍ଦ୍ଦନ ପର୍ବତର ହିଲଟପରେ ବାଟବଣା ହୋଇଯାଇଛନ୍ତି । ମାଓବାଦୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ପର୍ଯ୍ୟଟକଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ଦଳ ବରଗଡ଼ ଜିଲ୍ଲା ନୃସିଂହନାଥ ମନ୍ଦିର ପଟୁ ଚଢ଼ି ଗନ୍ଧମାର୍ଦ୍ଦନରେ ଥିବା ପାଦଚଲା ରାସ୍ତା ଦେଇ ବଲାଙ୍ଗୀର ପଟେ ଥିବା ହରିଶଙ୍କରକୁ ବାହାରିଥିଲେ । ଘଞ୍ଚ ଜଙ୍ଗଲରେ ବହୁ ପାହାଡ଼ି ଝରଣା ଅତିକ୍ରମ କରି ୭ଟି ପାହାଡ଼ ଶୃଙ୍ଖଳାକୁ ଡେଇଁ କଷ୍ଟ ଯାତ୍ରା କଲେ ହରିଶଙ୍କରର ପହଞ୍ଚି ହୁଏ । ଶ୍ରାବଣ ମାସରେ ବହୁ ବୋଲବମ ଭକ୍ତ ପାଦଚଲା ରାସ୍ତା ଦେଇ ନୃସିଂହନାଥରୁ ହରିଶଙ୍କରକୁ ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ଦଳ ବାଟହୁଡ଼ି ହିଲଟପକୁ ଚାଲିଯାଇଥିବା ଜଣାପଡିଛି ।
ଗନ୍ଧମାର୍ଦ୍ଦନ ପର୍ବତରେ ଫସିଲେ ୧୭ ଛତିଶଗଡ଼ ପର୍ଯ୍ୟଟକ : ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧିତ
ଶ୍ରାବଣ ମାସରେ ବହୁ ବୋଲବମ ଭକ୍ତ ପାଦଚଲା ରାସ୍ତା ଦେଇ ନୃସିଂହନାଥରୁ ହରିଶଙ୍କରକୁ ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ଦଳ ବାଟହୁଡ଼ି ହିଲଟପକୁ ଚାଲିଯାଇଥିବା ଜଣାପଡିଛି ।
/kanak/media/media_files/2025/07/24/gandhamardan-2025-07-24-07-42-32.jpg)