ମୁକୁନ୍ଦପ୍ରସାଦରେ ପୋଲିସ ଛାଉଣୀ । ମୌଜାରେ ୧୬୩ ବିଏନଏସ ବଳବତ୍ତର ।

ହିଂସା ପରେ ଶାନ୍ତି ଫେରାଇ ଆଣିବାକୁ ଯାଇ ପୋଲିସ ପଇଁତରା ମାରୁଛି । ଗାଁରେ ଧାରା ୧୬୩ ବଳବତ୍ତର ରହିଛି। ଅନ୍ୟପଟେ ହତ୍ୟାକାଣ୍ଡ ଘଟଣାର ସରଜମିନ ତଦନ୍ତ ଚାଲିଛି ।

mukund

କନକ ବ୍ୟୁରୋ: ଖୋର୍ଦ୍ଧାର ମୁକୁନ୍ଦପ୍ରସାଦ ଗାଁ ପୁରା ଖାଁ ଖାଁ । ଦୋକାନ ବଜାର ବନ୍ଦ । ଗାଁକୁ ଘେରି ରହିଛି ସଶସ୍ତ୍ର ପୋଲିସ ବାହିନୀ । ଆବଶ୍ୟକ ନଥିଲେ ଲୋକ ବଜାର ଆସୁନାହାନ୍ତି । ତେଣୁ ବଜାରରେ ବି ନାହିଁ ସେଭଳି ଗହଳି । ରବିବାର ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ସବରସାହି ଛକ ନିକଟରେ ମୁକୁନ୍ଦପ୍ରସାଦରେ ହିଂସାରେ ଜଣେ ଯୁବକଙ୍କ ଜୀବନ ଯାଇଛି । 

ଏହାପରେ ଶାନ୍ତି ଫେରାଇ ଆଣିବା ପ୍ରଶାସନ ପାଇଁ କଡ଼ା ଚ୍ୟାଲେଞ୍ଜ । ଆଉ ନିଜେ ଡିଜିପି ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଡିଆଇଜି ଅଭିନାଶ କୁମାର ନିଜ ଟିମ୍ ସହ ଗଳିରୁ ଗଳି ବୁଲି ପିକେଟିଂ କରୁଛନ୍ତି । ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ଗାଁକୁ ଜଗି ରହିଛି । ଗାଁରେ ଏବେ ସୁଧା ଶାନ୍ତି ରହିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଏବେ ବି ବଳବତ୍ତର ରହିଛି । ଆଇନ ଅନୁସାରେ, ବିନା ଅନୁମତିରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ନିଷେଧ କରାଯାଇଛି । ସଂପୃକ୍ତ ଅଞ୍ଚଳରେ ସ୍କୁଲ କଲେଜ ସବୁ ବନ୍ଦ ରଖାଯିବା ସହିତ ମୋଟ୍ ୮ପ୍ରକାରର ନିଷେଧନାମା ଜାରି କରାଯାଇଛି ।
 ଅନ୍ୟପଟେ ହତ୍ୟାକାଣ୍ଡ ଘଟଣାର ସରଜମିନ ତଦନ୍ତ ଚାଲିଛି। ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୃତଙ୍କୁ ଚିହ୍ନଟ ସରିଛି। ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ଗାଁ ଗଣ୍ଡଗୋଳରେ ଭାଙ୍ଗିରୁଜି ଯାଇଥିବା ଗାଡ଼ି ଏବଂ ଘରକୁ ନେଇ ମାମଲା ରୁଜୁ ହୋଇଛି। ଆଇନ ହାତକୁ ନନେବାକୁ ପୋଲିସ ଚେତାବନୀ ଦେଇଛି।

ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେନେଇ ପୋଲିସ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ୧୬୩ ଧାରା ଜାରି ରଖିଛି। ତେବେ ହତ୍ୟାକାଣ୍ଡ କାହିଁକି ଘଟିଲା ଏହାପଛର କାରଣ କଣ ପୂର୍ବ ଶତ୍ରୁତା ନା ପଥରଖଣି କାରବାର ଯୋଗୁଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ତାହା ଏବେ ବି ଅସ୍ପଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe