କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଅଶାନ୍ତ ହୋଇପଡ଼ିଛି । ଭଦ୍ରକ ସହର, ଧାମନଗର ଓ ଏହାର ଆଖାପାଖ ଅଂଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ ଧାରା ଜାରି ହୋଇଛି । ସୋସିଆଲ ମିଡିଆ ଅପବ୍ୟବହାର ରୋକିବାକୁ ଇଣ୍ଟରନେଟ ବନ୍ଦ ରଖାଯାଇଛି । ବିଶେଷକରି ହ୍ୱାଟ୍ସଆପ୍, ଫେସ୍ବୁକ୍, ଏକ୍ସ, ସ୍ନାପ୍ଚାଟ୍ ପରି ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି ହୋଇଛି । ପୁରୁଣା ବଜାର ଅଞ୍ଚଳରେ ୧୦ ପ୍ଲାଟୁନ ଓ ଧାମନଗରରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବଳ ଫ୍ଲାର୍ଗ ମାର୍ଗ କରିବା ସହ ଛକ ଛକରେ ଜଗି ରହିଛନ୍ତି ।
ପ୍ରଶାସନ ପକ୍ଷରୁ କଟକଣା ଲଗାଯିବା ପରେ, ଶୂନ ଶାନ ହୋଇପଡ଼ିଛି ରାସ୍ତାଘାଟ । ଉତ୍ତେଜନା ଚରମ ସୀମାରେ ଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଅତି ଜରୁରୀ ନଥିଲେ ପଦାକୁ ଗୋଡ଼ କାଢ଼ୁ ନାହାନ୍ତି ।
ସୋସିଆଲ ମିଡିଆ ପୋଷ୍ଟ ପ୍ରତିବାଦରେ ଏକ ଗୋଷ୍ଠୀର ଯୁବକମାନେ ରାଲି କରି ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଥିଲା ପୁଲିସ । ତାପରେ ପୁଲିସ ଓ ବିକ୍ଷୋଭକାରୀ ହାତାହାତି ହୋଇଥିଲେ । ଏଥିର ଜଣେ ପୁଲିସ ଏସଆଇଙ୍କ ସମେତ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା । ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପ୍ରଶାସନ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି ।