କନକ ବ୍ୟୁରୋ: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି । ପ୍ରାୟ ୫ ହଜାରରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରିବାକୁ ନିଷ୍ପତ୍ତି ସରିଛି । ଏଥିପାଇଁ ଡେଡଲାଇନ ରହିଛି ଅକ୍ଟୋବର ୧୫ । ପ୍ରଦୂଷଣ ରୋକିବା ଦିଗରେ ଏହା ବେଶ ଗୁରୁତ୍ୱ ବହନ କରିବ ।
ସରକାରୀ ଅଫିସରେ ରହିବନି ୧୫ ବର୍ଷର ପୁରୁଣା ଗାଡ଼ି । ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ୧୫ ବର୍ଷର ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ପରିବହନ ବିଭାଗର ପ୍ରମୁଖ ସଚିବ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ପୂର୍ବରୁ ୪ ହଜାରରୁ ଅଧିକ ପୁରୁଣା ଗାଡ଼ି ସ୍କ୍ରାପିଂ ସରିଛି । ଏ ବାବଦକୁ ୩୦୦ କୋଟି ପାଇଛନ୍ତି ସରକାର । ଏବେ ରାଜ୍ୟ ସରକାରଙ୍କ ପାଖରେ ୫ ହଜାରରୁ ଅଧିକ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି ।
୧୫ ବର୍ଷର ପୁରୁଣା ଗାଡ଼ି, କେଉଁ ବିଭାଗରେ କେତେ ?
- ଗୃହ ବିଭାଗ ପାଖରେ ୧୧୮୯ଟି ଗାଡ଼ି
- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୪୨୬ଟି
- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୭୮ଟି
- ଅଗ୍ନିଶମ ବିଭାଗରେ ୩୮୯ଟି
- ଜଳସମ୍ପଦ ବିଭାଗରେ ୧୩୪ଟି
- ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ୧୯୩ଟି ପୁରୁଣା ଗାଡି ରହିଛି
ଓଡ଼ିଶାରେ ଯାନବାହନ ସ୍କ୍ରାପ ନୀତି ନଭେମ୍ବର ୨୦୨୨ରୁ କାର୍ଯ୍ୟକାରୀ ହେଉଛି । ଏକକାଳୀନ ୪୦୦୧ରୁ ୬୦୦୦ଟି ଗାଡ଼ି ସ୍କ୍ରାପିଂ କଲେ ଗାଡ଼ି ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ । ଯାଜପୁର ଅଞ୍ଜିରା ତାରିଣୀ ଛକ, ଖୋର୍ଦ୍ଧା କୁମ୍ଭାରବସ୍ତିରେ ଥିବା କେନ୍ଦ୍ରରେ ହେଉଛି ଗାଡ଼ି ସ୍କ୍ରାପିଂ । ୧୫ ବର୍ଷ ତଳର ପୁରୁଣା ଗାଡ଼ି ଚଳାଚଳ ପାଇଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି । ଯାହାକୁ ରୋକିବା ଦିଗରେ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍କ୍ରାପିଂ ପରେ ମିଳିବାକୁ ଥିବା ଅର୍ଥରେ ବିଭାଗ ଗୁଡିକ ପାଇଁ କିଣାଯିବ ନୂଆ ଗାଡ଼ି ।