କନକ ବ୍ୟୁରୋ: ପୁରୀରେ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଗଛକଟା ଓ ୟୁଟିଲିଟି ସିଫ୍ଟିଂ ନାଁରେ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚ । ଅନ୍ତରୀଣ ବିକାଶ ନାଁରେ ଏହି ଖର୍ଚ୍ଚକୁ ନେଇ ଜଗନ୍ନାଥ ପ୍ରେମୀ ଜଳକା ହୋଇଛନ୍ତି । ଗ୍ରାଉଣ୍ଡ ଜିରୋରେ ଏହାର ଚିହ୍ନବର୍ଣ୍ଣ ନାହିଁ । ବିଭିନ୍ନ ବାବଦରେ ଖର୍ଚ୍ଚ ହୋଇଥିବା ବେଳେ କେବଳ ୟୁଟିଲିଟି ସିଫ୍ଟିଂ ଓ ଗଛ କଟା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ଏବେ ଚର୍ଚ୍ଚା ଧରିଛି ।
ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟିଂ ନାଁରେ ୧୫ କୋଟିରୁ ଅଧିକ ଖର୍ଚ୍ଚ । କାଗଜକଲମରେ ଅନ୍ତରୀଣ ସୌନ୍ଦର୍ଯ୍ୟ ନାଁରେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି, ହେଲେ ଗ୍ରାଉଣ୍ଡ ଜିରୋରେ ଦେଖିଲେ ୧୫ କୋଟିର ଖର୍ଚ୍ଚ ହିସାବକୁ ସହଜରେ ହଜମ କରୁନାହାନ୍ତି ଜଗନ୍ନାଥ ପ୍ରେମୀ । ଗତ ବିଧାନସଭା ଅଧିବେଶନରେ ପରିକ୍ରମା ପ୍ରକଳ୍ପ ଖର୍ଚ୍ଚ ବାବଦକୁ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀ ଉତ୍ତର ରଖିଥିଲେ । ଏଥିରେ ଗଛ କଟା, ବୈଦୁତିକ ଓ ପାନୀୟ ଜଳ ୟୁଟିଲିଟି ଖର୍ଚ୍ଚ ଦେଖିଲେ ଖଟକା ଲାଗୁଛି । ଏଭଳି ସ୍ଥଳେ ଆଉ ତତ୍କାଳୀନ ସରକାର ଓ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠିବା ସ୍ଵାଭାବିକ ।
ଆସନ୍ତୁ ନଜର ପକାଇବା ପରିକ୍ରମା ପ୍ରକଳ୍ପରେ ବ୍ୟୟ ବରାଦ ରାଶିର କେତେ କାମ ସରିଛି । ପ୍ରକଳ୍ପର ମୁଖ୍ୟ ଅଂଶ କାର୍ଯ୍ୟ ହୋଇ ସାରିଥିବା ବେଳେ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ,ଗାର୍ବେଜ୍ ଚ୍ୟୁଟ ଏବଂ ଅଣ୍ଡର ଗ୍ରାଉଣ୍ଡ ଟ୍ୟାଙ୍କ ଭଳି ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି । ଏହା ବାବଦକୁ ବ୍ୟୟ ବରାଦ ହୋଇଛି ୨୩୩ କୋଟି ୭୫ ଲକ୍ଷ । ସେଇଭଳି ୨୦ ଟି ମଠ-ମନ୍ଦିରର ପୁନଃବିକାଶ ଓ ଦୋଳବେଦୀ ନବୀକରଣ ବାବଦକୁ ୨୫ କୋଟି ୫୫ ଲକ୍ଷ ବ୍ୟୟ ବରାଦ ହୋଇଛି । ଏହି କାମ ଶେଷ ପର୍ଯ୍ୟାୟରେ ପଂହଚିଛି । ଇନଫ୍ଲଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଥିବାବେଳେ ଖର୍ଚ୍ଚ ହୋଇଛି ୨୧ କୋଟି ୭୬ ଲକ୍ଷ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ଓ ଅଭ୍ୟର୍ଥନା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖର୍ଚ୍ଚ ହୋଇଛି ୨ କୋଟି ୪୬ ଲକ୍ଷ । ଅଦ୍ୟାବଧି ୨୮୯ କୋଟି ୮୯ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଗଛ କଟା ଓ ୟୁଟିଲିଟି ଶିଫଟିଂ ବାବଦକୁ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚକୁ ସହଜରେ ହଜମ କରିନାହାନ୍ତି ଜଗନ୍ନାଥ ପ୍ରେମୀ ।
ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚ ହୋଇଥିବା କଥା କୁହାଯାଉଛି । କିନ୍ତୁ ଏହା କିଭଳି ଖର୍ଚ୍ଚ ହୋଇଛି ଏହାର ହିସାବ କାହା ପାଖରେ ନାହିଁ ।