କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ଅଧ୍ୟାପକ ପଦ । ବିଧାନସଭାରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲିପଡ଼ିଛି । ତା ଭିତରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲିପଡ଼ିଛି । ତେବେ ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ଦେଖିଲେ ସବୁଠୁ ଅଧିକ ଅଧ୍ୟାପକ ମରୁଡି ଦେଖିବାକୁ ମିଳିଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ । ଏହାପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।
ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନ କରିଥିଲେ । ରାଜ୍ୟରେ କେଉଁ ବର୍ଗର କେତେ ସଂଖ୍ୟକ ମଞ୍ଜୁରିପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ ଏଥିରେ କେତେ ପଦବୀ ଖାଲି ପଡ଼ିଛି ତାର ରିପୋର୍ଟ ଦେବାକୁ ବିଧାୟକ ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଯେଉଁଥିରୁ କି ଏହି ତଥ୍ୟା ସାମ୍ନାକୁ ଆସିଛି ।
ମନ୍ତ୍ରୀଙ୍କ କହିବା ମୁତାବକ, ରାଜ୍ୟରେ ୮୨ଟି ସରକାରୀ ମହାବିଦ୍ୟାଳୟ ରହିଛି । ସେ ଭିତରୁ ୬୬ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ତେବେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୪୯୧ଟି ଏବଂ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୧୬୩ଟି ଅଧ୍ୟାପକ ପଦବୀ ଖାଲି ରହିଛି । ଏହାସହ ରାଜ୍ୟର ସମସ୍ତ ସରକାରୀ ମହାବିଦ୍ୟାଳୟରେ ମଞ୍ଜୁର ପ୍ରାପ୍ତ ୧୭୫୧ଟି ଅଣଶିକ୍ଷକ ପଦବୀ ଅଛି । ଯାହା ଭିତରୁ ୬୮୮ ଜଣ କାର୍ୟ୍ୟରତ ଅଛନ୍ତି ଏବଂ ୧୦୨୭ ଟି ପଦବୀ ଖାଲି ପଡ଼ିଛି ।