କନକ ବ୍ୟୁରୋ : ଦୈନନ୍ଦିନ ଜୀବନରେ ଆମେ ବଜାରରୁ କିଣୁଥିବା ଖାଦ୍ୟର ପ୍ୟାକେଟ୍‌ ଉପରେ ଆଖିବୁଜି ବିଶ୍ୱାସ କରିଥାଉ । ସେ ବଡ଼ମାନଙ୍କ ଖାଦ୍ୟ ହେଉ କି ଶିଶୁମାନଙ୍କର , ସବୁକୁ ଆମେ ପ୍ୟାକେଟ୍‌ ଉପରେ ପ୍ରିଣ୍ଟ ହୋଇଥିବା ତାରିଖ ଦେଖି କିଣିଥାଉ । କିନ୍ତୁ ବର୍ତ୍ତମାନ ହୋଇଯାଆନ୍ତୁ ସତର୍କ ...ପ୍ୟାକେଟ୍‌ ଉପରେ ପ୍ରିଣ୍ଟ ଥିବା ଡେଟ୍‌ ବି ହୋଇପାରେ ମିଛ । ଯଦି ଆପଣ ନିଜର ପିଲା ପାଇଁ ପ୍ୟାକେଟ୍ ଖାଦ୍ୟ କିଛି କିଣୁଛନ୍ତି ତେବେ ଭଲ ଭାବେ ଯାଞ୍ଚ କରିନିଅନ୍ତୁ । ଆଜ୍ଞା ହଁ ଦିଲ୍ଲୀରେ ବିପୁଳ ପରିମାଣର ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ, ଚକୋଲେଟ୍ ଏବଂ ବେବି ପ୍ରଡକ୍ଟ ଜବତ କରାଯାଇଛି । ଯେଉଁଥିରେ କି ତାରିଖ ହଟାଯାଇ ନୂଆ ବାର କୋଡ୍‌ ଲଗାଯାଉଥିଲା , ଏହି ମାମଲାରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Advertisment

ଦିଲ୍ଲୀ-ଏନସିଆର ବଜାରରେ ବିକ୍ରି ହେଉଥିବା ସାମଗ୍ରୀକୁ ନେଇ ପୁଣି ଏକ ଭୟାନକ ସତ୍ୟ ସାମ୍ନାକୁ ଆସିଛି । ନକଲି ଔଷଧ ପରେ ଏବେ ଲୋକଙ୍କ ଦୈନନ୍ଦିନ ଖାଦ୍ୟପେୟ ଜିନିଷ ମଧ୍ୟ ସୁରକ୍ଷିତ ନୁହେଁ । ଦିଲ୍ଲୀ ପୁଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଏବଂ ବଜାରରେ ବିକ୍ରି କରୁଥିବା ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୪ ହଜାର ଲିଟର ନକଲି କୋଲ୍ଡ ଡ୍ରିଙ୍କ୍ସ, ଏକ୍ସପାଏରି ବେବି ଫୁଡ୍‌ , ଚକୋଲେଟ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଜବତ ହୋଇଛି ।

ଅଧିକ ପଢ଼ନ୍ତୁ---‘ପ୍ରିୟଙ୍କା ଗାନ୍ଧୀଙ୍କୁ PM କରନ୍ତୁ, ବାଂଲାଦେଶକୁ....’କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ପୁଲିସକୁ ଦୀର୍ଘ ଦିନ ଧରି ସୂଚନା ମିଳୁଥିଲା ଯେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଖୁବ୍ ଶସ୍ତା ଦରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି, ଯାହାର ଗୁଣବତ୍ତା ସନ୍ଦେହଜନକ । ଏହି ଆଧାରରେ ପୁଲିସ ଟିମ୍ ସନ୍ଦିଗ୍ଧ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲେ । ଫ୍ୟାକ୍ଟ୍ରି ଭିତରର ଦୃଶ୍ୟ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେଠାରେ ବହୁ ପରିମାଣର ଏକ୍ସପାଏରୀ କୋଲ୍ଡ ଡ୍ରିଙ୍କ୍ସ ରଖାଯାଇଥିଲା । ତଦନ୍ତରୁ ଜଣାପଡିଛି ଯେ, ଏହି କୋଲ୍ଡ ଡ୍ରିଙ୍କ୍ସର ଏକ୍ସପାଏରୀ ଡେଟ୍ ଶେଷ ହୋଇଯାଇଥିଲେ ମଧ୍ୟ ମେସିନ୍ ସାହାଯ୍ୟରେ ପୁରୁଣା ତାରିଖ ହଟାଇ ନୂଆ ତାରିଖ ପ୍ରିଣ୍ଟ କରାଯାଉଥିଲା । କେବଳ ସେତିକି ନୁହେଁ, ଗ୍ରାହକଙ୍କୁ ଭ୍ରମିତ କରିବା ପାଇଁ ନକଲି ବାରକୋଡ୍ ପ୍ରସ୍ତୁତ କରି ବୋତଲ ଏବଂ କ୍ୟାନ୍ ଉପରେ ଲଗାଯାଉଥିଲା, ଯାହାଫଳରେ ସାମଗ୍ରୀଟି ଅସଲି ପରି ଦେଖାଯାଉଥିଲା ।

ଚଢ଼ାଉ ସମୟରେ ପୁଲିସ କିଛି ଭିଡିଓ ମଧ୍ୟ ରେକର୍ଡ କରିଛି, ଯେଉଁଥିରେ ସ୍ପଷ୍ଟ କି କିପରି ମେସିନ ସାହାଯ୍ୟରେ ବାରକୋଡ୍ ପ୍ରିଣ୍ଟ କରାଯାଉଛି । ଅଭିଯୁକ୍ତମାନେ ଏହି ଏକ୍ସପାଏରୀ ପ୍ରଡକ୍ଟଗୁଡିକୁ ବହୁତ ଶସ୍ତା ଦରରେ କିଣୁଥିଲେ ଏବଂ ପରେ ତାରିଖ ବଦଳାଇ ନକଲି ପ୍ୟାକିଂ ମାଧ୍ୟମରେ ହୋଲସେଲ ମାର୍କେଟରେ ବିକ୍ରି କରିଦେଉଥିଲେ । ସେଠାରୁ ଏହି ବିଷାକ୍ତ ସାମଗ୍ରୀ ଛୋଟ ଦୋକାନୀଙ୍କ ଦେଇ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚୁଥିଲା ।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଅସାଧୁ ବ୍ୟବସାୟୀମାନେ ଶିଶୁଙ୍କ ଖାଦ୍ୟକୁ ମଧ୍ୟ ଛାଡ଼ି ନଥିଲେ । ବେବି ଫୁଡ୍ ଏବଂ ଚକୋଲେଟ୍ ଭଳି ଜିନିଷ, ଯାହାକୁ ଅଭିଭାବକମାନେ ଭରସାର ସହ କିଣନ୍ତି, ସେଥିରେ ମଧ୍ୟ ଏହି ଗ୍ୟାଙ୍ଗ ମିଶ୍ରଣ ଏବଂ ଜାଲିଆତି କରୁଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଏକ୍ସପାଏରୀ ଏବଂ ନକଲି ଖାଦ୍ୟ ସାମଗ୍ରୀ ଦ୍ୱାରା ଶରୀରରେ ଗମ୍ଭୀର ରୋଗ ସୃଷ୍ଟି ହୋଇପାରେ, ବିଶେଷ କରି ଶିଶୁମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ।
ଗିରଫ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି । ଏହି ନେଟୱାର୍କ କେତେ ଦିନରୁ ସକ୍ରିୟ ଥିଲା ଏବଂ ଦିଲ୍ଲୀ-ଏନସିଆର ବ୍ୟତୀତ ଅନ୍ୟ କେଉଁ କେଉଁ ରାଜ୍ୟକୁ ଏହି ମାଲ୍ ପଠାଯାଉଥିଲା, ସେ ନେଇ ଖୋଳତାଡ଼ ଚାଲିଛି ।

ସୂଚନା ଅନୁସାରେ, କିଛି ମାସ ପୂର୍ବରୁ ଦିଲ୍ଲୀର ଓଜିରାବାଦ ଅଞ୍ଚଳରେ ଦୁଇଟି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା । ସେଠାରେ ନକଲି ଟୁଥପେଷ୍ଟ ଏବଂ ନକଲି ଇନୋ (ENO) ତିଆରି ହେଉଥିଲା । ସେଠାରେ ତିଆରି ହେଉଥିବା ନକଲି ଟୁଥପେଷ୍ଟ ବ୍ୟବହାର କଲେ ଦାନ୍ତ ଗଳିଯିବାର ଆଶଙ୍କା ଥିବାବେଳେ, ନକଲି ଇନୋ ପିଇଲେ ପେଟରେ ଭୟଙ୍କର ଜ୍ୱଳନ ସୃଷ୍ଟି ହେବାର ଭୟ ରହିଥିଲା । ଏହି ଘଟଣାଗୁଡ଼ିକ ଏବେ ବଜାରରେ ମିଳୁଥିବା ଦୈନନ୍ଦିନ ସାମଗ୍ରୀର ଶୁଦ୍ଧତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।