ତାମିଲନାଡୁରୁ ବାହାରିଥିବା ଆଇନ୍ ଝଡ଼ ରାଷ୍ଟ୍ରପତି ଭବନରେ ପହଞ୍ଚିଛି । ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ଉପରେ ଯେଉଁ ପ୍ରଶ୍ନ ଉଠିଥିଲା ଆଜି ତାହା ଭିନ୍ନ ଦିଗ ନେଇଛି । ସୁପ୍ରିମକୋର୍ଟକୁ ରାଷ୍ଟ୍ରପତି ପଚାରିଥିବା ବିଭିନ୍ନ ପ୍ରଶ୍ନ ଏହି ବିତର୍କକୁ ଆହୁରି ଶାଣିତ କରିଥିବାବେଳେ ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସର୍ବୋଚ୍ଚ ଅଦାଲତଙ୍କୁ ଚିଠି ଲେଖି ରାଜ୍ୟପାଳମାନଙ୍କୁ ବିଲକୁ ଅନୁମୋଦନ କରିବାକୁ ସମୟସୀମା ଲାଗୁ କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି । ବିଭିନ୍ନ ବିଲକୁ ସ୍ବୀକୃତି ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମୟସୀମା ରହିବ । ଗତ ମାସରେ ଏପରି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଯାହାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ୧୪ଟି ପ୍ରଶ୍ନ ସହ ପ୍ରେସିଡେନ୍ସିଆଲ୍ ରେଫରେନ୍ସ ପଠାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର ଗୋଗୋଇ ଶପଥ ନେବାର ଦିନକ ପୂର୍ବରୁ ରାଷ୍ଟ୍ରପତିଙ୍କ ଏହି ୧୪ ପ୍ରଶ୍ନ ଦେଶରେ ଆଇନ୍ ଝଡ଼ ସୃଷ୍ଟି କରିଛି । କ’ଣ କହୁଛି ଆଇନ୍ ? କ’ଣ ହେବା ଉଚିତ୍ ? କ’ଣ କରାଯାଇପାରିବ ? ଗୋଟି ଗୋଟି କରି ଏପରି ପଚାରିଛନ୍ତି ରାଷ୍ଟ୍ରପତି । ଯାହାର ଉତ୍ତର ଖୋଜିବା ଏବେ ଜରୁରି ହୋଇଛି ।
ରାଷ୍ଟ୍ରପତିଙ୍କ ପ୍ରଶ୍ନରେ ରହିଛି ସମ୍ବିଧାନର ଅନୁଚ୍ଛେଦ ୨୦୦, ୨୦୧, ୩୬୧, ୧୪୩, ୧୪୨, ୧୪୫ କ୍ଲଜ୍ ୩ ଓ ୧୩୧ର କଥା ।
- ବିଲ୍ ଆସିବା ପରେ ରାଜ୍ୟପାଳଙ୍କ ପାଖରେ କ’ଣ ରହିଛି ସାମ୍ବିଧାନିକ ବିକଳ୍ପ- ନିଷ୍ପତ୍ତି ନେବା ବେଳେ ମନ୍ତ୍ରୀପରିଷଦଙ୍କ ପରାମର୍ଶ ରାଜ୍ୟପାଳ ନେବା ଜରୁରୀ କି?
- ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇପାରିବ କି?
- କ’ଣ ଧାରା ୩୬୧ରେ ରାଜ୍ୟପାଳଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ହୋଇପାରିବ କି?
- ରାଜ୍ୟପାଳଙ୍କ ଲାଗି ସମ୍ବିଧାନରେ ଯଦି ସମୟସୀମା ନାହିଁ, ତାହା କୋର୍ଟ ସ୍ଥିର କରିବ କି?
- ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇପାରିବ କି?
- କ’ଣ ଅଦାଲତ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଉପରେ ସମୟସୀମା ଲଗାଇ ପାରିବ କି?
- ସୁପ୍ରିମକୋର୍ଟଙ୍କ ରାୟ ନେବା ରାଷ୍ଟ୍ରପତିଙ୍କ ଲାଗି ଅନିବାର୍ଯ୍ୟ କି?
ରାଷ୍ଟ୍ରପତିଙ୍କ ଏଭଳି ୧୪ଟି ପ୍ରଶ୍ନ ଏବେ ଆଇନର ଦିଗ ଖୋଜୁଛି । ସୁପ୍ରିମକୋର୍ଟ ଏହାର କିପରି ଉତ୍ତର ଖୋଜିବେ ସେନେଇ ଜାତୀୟସ୍ତରରେ ବିଚାର ବିମର୍ଶ ଆରମ୍ଭ ହୋଇଛି । ତାମିଲନାଡୁ ସରକାର ରାଜ୍ୟପାଳଙ୍କ ସହମତି ବିନା ୧୦ଟି ବିଲ୍ ଗୃହୀତ କରିବା ପରେ ଆରମ୍ଭ ହୋଇଥିବା ବିତର୍କର ଝଡ଼ ଢେର ଦୂର ଗଲାଣି । ଏପ୍ରିଲ ୧୨ ତାରିଖରେ ବିଲ୍ ପ୍ରସଙ୍ଗରେ ରାଜ୍ୟପାଳ ପଠାଇଥିବା ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଜର ନିଷ୍ପତ୍ତି ନେବାକୁ କହିଥିଲେ ସୁପ୍ରିମକୋର୍ଟ । ଏହା ସହ ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତା ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ ବୋଲି ଖଣ୍ଡପୀଠ କହିଥିଲେ । ସେବେଠାରୁ ଏ ବିତର୍କ ଥମିବାର ନାଁ ନେଉନି ।