କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ନିଜର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକ୍ରିଷ୍ଣନ ବିଜୟୀ ହେଇଛନ୍ତି । ସିପି ରାଧାକ୍ରିଷ୍ଣନଙ୍କୁ ନିର୍ବାଚନରେ ୪୫୨ ଭୋଟ୍ ମିଳିଛି । ଏହାସହ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ  ୩୦୦ ଭୋଟ୍ ମିଳିଛି । ତେବେ ଭାରତୀୟ ଜନତା ପାର୍ଟି ତରଫରୁ ଦାବି କରାଯାଇଛି ଯେ, ୧୪ ଜଣ ସାଂସଦ କ୍ରସ୍ ଭୋଟିଂ କରିଛନ୍ତି ।

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ ଶାସକ ଏନଡିଏ ମେଣ୍ଟକୁ କଡା ଟକ୍କର ଦେଇଛି ବିରୋଧୀ ମେଣ୍ଟ । ସଂଖ୍ୟା ବଳରୁ ବିରୋଧୀ ହାରିବା ପୂର୍ବରୁ ଏକପ୍ରକାର ପକ୍କା ବୋଲି ଜଣାପଡୁଥିଲେ ବି, ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ସାଂସଦଙ୍କ ପ୍ରଥମ ପସନ୍ଦ ଭୋଟ୍ ପଡିଛି । ତେବେ ଏଥର ମୋଟ ୭୬୭ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇଥିଲେ । ସେମାନଙ୍କ ଭିତରୁ ୧୫ଟି ଭୋଟ୍ ଅମାନ୍ୟ ହୋଇଥିଲା । ଆଉ ବିଜେପିର ଦାବି ମୁତାବକ ୧୪ ଜଣ ସାଂସଦ ଏହି ନିର୍ବାଚନରେ କ୍ରସ୍ ଭୋଟିଂ କରିଛନ୍ତି ।

ସଂସଦରେ ଏନଡିଏ ପାଖରେ ମୋଟ ୪୨୭ ସାଂସଦ ଅଛନ୍ତି । ଏଥିରେ ଓ୍ୱାଇଏସଆର କଂଗ୍ରେସର ୧୧ ସାଂସଦଙ୍କୁ ମିଶାଇଲେ ଏହି ସଂଖ୍ୟା ୪୩୮ ହେଉଛି । ହେଲେ ଏନଡିଏ ପ୍ରାର୍ଥୀଙ୍କୁ ମୋଟ ୪୫୨ ଭୋଟ୍ ମିଳିଥିବାରୁ, ଆଉ ୧୪ଟି ଭୋଟ୍ କ୍ରସ୍ ଭୋଟିଂ ହୋଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ନିର୍ବାଚନ ମୈଦାନରେ  ଏଥର ଥିଲେ ଏନ୍‌ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ହେଲେ ମତଦାନରୁ କିନ୍ତୁ ଦୂରେଇ ରହିଥିଲେ ତିନି ଦଳ ବିଜେଡି, ବିଆରଏସ ଓ ଅକାଳୀ ଦଳ। ବିଜେଡି, ବିଆରଏସ୍‌ ଓ ଅକାଳୀ ଦଳର ମୋଟ ୧୨ ଜଣ ସାଂସଦ, ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ନାହାନ୍ତି ।  

ଭିଡିଓ ଦେଖନ୍ତୁ....