ଲୁଣି ପାଣି ପିଉଥିଲେ … ୧୨୦ ଘଣ୍ଟା ଗଛରେ ଲୁଚିଥିଲେ , ମାଆ-ପୁଅ ବଖାଣିଲେ ଭିତରକନିକାର ଭିତର ରହସ୍ୟ

ଏ ଥିଲା ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ନିଖୋଜ ହୋଇଥିବା ରାଜନଗର ବ୍ଲକ୍ ଦେବେନ୍ଦ୍ରନାରାୟଣପୁର ଗାଁର ଅଞ୍ଜନା ମିର୍ଧା ଓ ତାଙ୍କ ପୁଅ ରତିକାନ୍ତ ମିର୍ଧାଙ୍କର ଜୀବନ-ମରଣର ଅନୁଭୂତି । କଙ୍କଡ଼ା ଧରିବା ପାଇଁ ମା’ପୁଅ ଦୁହେଁ ଘରଠାରୁ ୭ କି.ମି ଦୂରକୁ ଯାଇଥିଲେ ।

bhitarkanika

bhitarkanika Photograph: (KanakNews)

କନକ ବ୍ୟୁରୋ : ପାଖରେ କିଛି ଖାଇବାକୁ ନଥିଲା , ଭୋକିଲା ପେଟରେ ଚାଲିବାକୁ ବଳ ବି ପାଉନଥିଲା । ଚାରିଆଡ଼େ କିଟିମିଟି ଅନ୍ଧାର ଆଉ ଘଞ୍ଚ ଜଙ୍ଗଲ । ପାଖରେ ସାପ ଚାଲି ଯାଉଥିଲେ , ଚିତ୍କାର କରୁଥିଲେ ବଣୁଆ ଜନ୍ତୁ । ଡରାଉଥିଲା ବାରହା ରଡ଼ି । ଭୋକରେ ପେଟ କଁ କଁ ଡାକୁଥାଏ ଆଉ ବାଟ ବି ମିଳୁନଥାଏ । ଜଙ୍ଗଲରେ ଗୋଟିଏ ଫଳ ଗଛ ବି ଖୋଜି ପାଇଲୁନି , ବାଧ୍ୟ ହୋଇ ସମୁଦ୍ରର ଲୁଣି ପାଣି ପିଇ ଭିତରକନିକାର ଘଞ୍ଚ ଜଙ୍ଗଲରେ ୧୨୦ ଘଣ୍ଟା ବିତାଇଲୁ ମା’ ପୁଅ । 

mom son
mom son Photograph: (Google)

ଏ ଥିଲା ଭିତରକନିକା ଘଞ୍ଚ ଜଙ୍ଗଲ ଭିତରେ ନିଖୋଜ ହୋଇଥିବା ରାଜନଗର ବ୍ଲକ୍ ଦେବେନ୍ଦ୍ରନାରାୟଣପୁର ଗାଁର ଅଞ୍ଜନା ମିର୍ଧା ଓ ତାଙ୍କ ପୁଅ ରତିକାନ୍ତ ମିର୍ଧାଙ୍କର ଜୀବନ-ମରଣର ଅନୁଭୂତି । କଙ୍କଡ଼ା ଧରିବା ପାଇଁ ମା’ପୁଅ ଦୁହେଁ ଘରଠାରୁ ୭ କି.ମି ଦୂରକୁ ଯାଇଥିଲେ । ଗଲା ବେଳେ ବାଟବଣାରୁ ବର୍ତ୍ତିବା ପାଇଁ ଗଛ ଡାଳ ଭାଙ୍ଗି ଭାଙ୍ଗି ମଧ୍ୟ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ବାଟବଣା ହୋଇଗଲେ । ଘରକୁ ଯିବା ପାଇଁ ବାଟ ଖୋଜୁ ଖୋଜୁ ରାତି ଅନ୍ଧାର ମାଡ଼ିଆସିଲା । ପ୍ରଥମ ରାତିରେ ଗଛ ମୂଳେ ଆଶ୍ରୟ ନେଇ ସକାଳୁ ଦୁହେଁ ପୁଣି ଚାଲିବା ଆରମ୍ଭ କରିଥିଲେ । କିନ୍ତୁ ଘରବାଟର ନାଁ , ଗନ୍ଧ ମିଳିଲାନି । ଚାଲୁ ଚାଲୁ ଜଙ୍ଗଲ ଭିତରକୁ ୨୦ କି.ମି ପର୍ଯ୍ୟନ୍ତ ଦୁହେଁ ଚାଲିଗଲେ । ସେତେବେଳେ ଜଙ୍ଗଲ ଭିତରକୁ ଜୁଆର ପାଣି ମାଡ଼ି ଆସୁଥାଏ । ମା’ପୁଅ ବୁଦ୍ଧି ନ ପାଇ ଗଛ ଉପରକୁ ଚଢ଼ିଗଲେ । ଏପଟେ ପାଣି ସେପଟେ ପାଖ ଦେଇ ସାପ ଯାଉଥାଏ । ସବୁବେଳେ ମୃତ୍ୟୁର ଭୟ , ଏମିତିକି ରାତି ଅଧିକ ହୋଇଗଲେ ବାରହାର ରଡ଼ି ଆତ୍ମାକୁ ଥରାଇ ଦେଉଥିଲା । ଭିତରକନିଆ ଜଙ୍ଗଲ ଆଉ କୁମ୍ଭୀର ସାଲୁବାଲୁ ନଦୀଠାରୁ ମାତ୍ର ୨୦୦ ମିଟର ଦୂରରେ ଥିଲେ ମା’ପୁଅ । ନଦୀ ନିକଟକୁ ଗଲେ କୁମ୍ଭୀର ଗିଳିଦେବାର ଭୟ , ତେଣୁ ମା’ ପୁଅ କୌଣସି ବୋଟ୍ ଗଲେ ଉଦ୍ଧାର ପାଇଁ ଡାକ ପକାଇବାକୁ ଏକମାତ୍ର ଆଶା ଭାବି ଗଛ ତଳକୁ ଓହ୍ଲାଇଲେ ନାହିଁ । 

କଥାରେ ଅଛି ନା’ରଖେ ହରି ତ ମାରେ କିଏ । ବିଧାତାର କରୁଣା ଦେଖନ୍ତୁ ଦୀର୍ଘ ୫ ଦିନ ପରେ ବନବିଭାଗର ବୋଟ୍ ଦେଖି ଦୁହେଁ ଡାକ ପକାଇଥିଲେ ଏବଂ ମା’ପୁଅ ଦୁହିଁଙ୍କୁ ବନବିଭାଗର ଟିମ୍ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଭିତରକନିଆ ଜାତୀୟ ଉଦ୍ୟାନର ହାବଳ ଫରେଷ୍ଟ୍ ବ୍ଲକ୍ ମାଙ୍କୁଆ ନାଳ ନିକଟରୁ ଦୁହିଁଙ୍କୁ ଉଦ୍ଧାର କରାଯାଇଥିଲା । ବନ ବିଭାଗ କିଛି ଲୁଚାଇବାକୁ ଯାଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ  । ତେବେ ଭିତରକନିକା ଜାତୀୟ ଉଦ୍ୟାନ ନିଷିଦ୍ଧାଞ୍ଚଳ ମଧ୍ୟକୁ କିପରି ମା,ପୁଅ କଙ୍କଡ଼ା ଧରିବାକୁ ଗଲେ । ତାଙ୍କୁ ଅନୁମତି କିଏ ଦେଲା ତାହା ସନ୍ଦେହ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe