କନକ ବ୍ୟୁରୋ : ଚିଟ୍‌ଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଛି । ୨୦୧୩ ଜୁଲାଇ ୯ରେ ସରକାର ପ୍ରଥମଥର ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ ଗଠନ କରିଥିଲେ । କମିସନ ୭ଟି ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାହା ଏବେ ସୁଦ୍ଧା ସାର୍ବଜନୀନ ହୋଇନାହିଁ । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩୦୦ କୋଟି ଟଙ୍କାର କର୍ପସ୍‌ ଫଣ୍ଡ୍‌ ଗଠନ ନେଇ ଘୋଷଣା କରିଥିଲେ । ୨୦୨୦ ଫେବ୍ରୁଆରି ୪ରେ ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହା ଆଉ ବୃଦ୍ଧି କରାଯାଇ ନଥିଲା । ତଦନ୍ତ ଅଧାରେ ରହି ଯାଇଥିଲେ ବି କମିସନ ସେତେବେଳକୁ ୭ଟି ଅନ୍ତରୀଣ ରିପୋର୍ଟ ଦାଖଲ କରି ସାରିଥିଲେ ।

Advertisment

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟାରେ ଏହି ରିପୋର୍ଟ ସଂକ୍ରାନ୍ତରେ ସରକାର ନିଜର ସ୍ଥିତି ସ୍ପଷ୍ଟ କରି ନାହାନ୍ତି । ତଦନ୍ତ ବନ୍ଦ ହେବା ପୂର୍ବରୁ କମିସନ୍‌ ୪ ଲକ୍ଷ ୯୭ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଦାଖଲ କରିଥିଲେ । ଏହି ସତ୍ୟପାଠଗୁଡ଼ିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡ଼ିରହିଛି । ଚିଟ୍‌ଫଣ୍ଡ ତଦନ୍ତ ଅଧାରୁ ବନ୍ଦ ହୋଇଥିଲେ ବି ଏଥିପାଇଁ ୬.୧୯ କୋଟି ଟଙ୍କାରୁ ଅଧିକ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା । କମିସନ ପ୍ରଦାନ କରିଥିବା ଅନ୍ତରୀଣ ରିପୋର୍ଟ ବି ସାର୍ବଜନୀନ କରାଯାଉ ନାହିଁ । ରିପୋର୍ଟରେ କଣ ପରାମର୍ଶ ସବୁ ରହିଛି ତାହା ତଦନ୍ତ କମିସନ ବସିବାର ୧୨ ବର୍ଷ ପରେ ବି ଜଣାପଡୁ ନାହିଁ ।