କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣ ପରେ ଆକ୍ସନ ମୋଡରେ ଅଛନ୍ତି ଭାରତ ସରକାର । ଦେଶରେ ରହୁଥିବା ସମସ୍ତ ପାକିସ୍ତାନୀ ଭାରତରୁ ବିଦା ହେବେ । ଏଥିପାଇଁ ସବୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ପ୍ରତିଶୋଧ ନିଆଁରେ ଜଳୁଥିବା ଭାରତ ସଇତାନ ପାକିସ୍ତାନକୁ ପାନେ ଦେବାକୁ ଶକ୍ତ ଆଭିମୁଖ୍ୟ ଦେଖାଇଛି । ପାକ୍ ନାଗରିକଙ୍କୁ ଭାରତରୁ ତଡିବାକୁ ଗୃହମନ୍ତ୍ରୀ ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କଥା ହେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଦୀର୍ଘକାଳୀନ ଭିସା ଜରିଆରେ ଓଡ଼ିଶାରେ ରହୁଥିବା ୧୨ଜଣ ପାକିସ୍ତାନୀଙ୍କୁ ତଡିବାକୁ ପ୍ରକ୍ରିୟା ଆରମ୍ଭ କରିଛି ରାଜ୍ୟ ଗୃହ ବିଭାଗ । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଚିହ୍ନଟ କରି ନୋଟିସ ଦିଆଯାଇଛି । ତୁରନ୍ତ ଭାରତ ଛାଡିବା ପାଇଁ କୁହାଯାଇଛି । ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ଗୃହ ବିଭାଗର ସ୍ବତନ୍ତ୍ର ଟିମ୍ ।
ଆକ୍ରୋଶର ଶିକାର ହେବାର ସମ୍ଭାବନା ଥିବାରୁ ପାକିସ୍ତାନୀ ନାଗରିକଙ୍କ ପରିଚୟ ଗୁପ୍ତ ରଖାଯାଇଛି । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ଅତି ସତର୍କତାର ସହିତ ଗୃହ ବିଭାଗ ପଦକ୍ଷେପ ନେଉଛି ।
ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ କଥା ହୋଇଛନ୍ତି । ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ତଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୩ ତାରିଖରେ ପ୍ରେସମିଟ୍ କରି ଭାରତ ବୈଦେଶିକ ମନ୍ତ୍ରାଳୟ ୪୮ଘଣ୍ଟା ଭିତରେ ଦେଶ ଛାଡିବାକୁ ସବୁ ପାକିସ୍ତାନୀଙ୍କୁ ନିର୍ଦ୍ଦେଶ ଦେଇଥିଲା । ଏଥିସହ ପହଲଗାମ୍ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସମୁଦ୍ର ତଟ ସୁରକ୍ଷା ପାଇଁ ମେରାଇନ୍ ପୋଲିସ ଓ କୋଷ୍ଟ ଗାର୍ଡ ସଜାଗ ରହିବାକୁ କୁହାଯାଇଛି ।
ପହଲଗାମ ଆକ୍ରମଣ ପରେ ସାରାଦେଶରେ ପାକିସ୍ତାନ ବିରୋଧରେ ଅସନ୍ତୋଷ ବଢୁଥିବାବେଳେ କୂଟନୈତିକ ସ୍ତରରେ ବଡ ଯୁଦ୍ଧ ଆରମ୍ଭ କରିଛି ଭାରତ । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବାରୁ ଦେଶରୁ ସବୁ ପାକିସ୍ତାନୀକୁ ତଡିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।