କନକ ବ୍ୟୁରୋ: ଧାନ ମଣ୍ଡି ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ। ଧାନ କଟନୀ ଛଟନୀ ଓ ଧାନ କିଣା ଅବ୍ୟବସ୍ଥା ନେଇ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଏହି ବନ୍ଦ ଡାକରା ଦେଇଛନ୍ତି। ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ୍ ହୋଇଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସାଗର ଦାସ। ମଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି। ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ। ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ। ମନ୍ତ୍ରୀ ପ୍ରତିଶ୍ରୁତି ସବୁ ଧୂଆଁ ବାଣ ବୋଲି ବିଧାୟକ କହିଛନ୍ତି। ତେଣୁ ମଣ୍ଡି ବ୍ୟବସ୍ଥା ସଠିକ୍ କରିବା ସହ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ଯଦି ସମସ୍ୟାର ସମାଧାନ ନହୁଏ, ତାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି।
ସେପଟେ ଧାନ କିଣାରେ କ୍ଵିଣ୍ଟାଲ ପିଛା ୫ କେଜିରୁ ଅଧିକ କଟନୀ ଛଟନୀ ହେଉଥିବା ଅଭିଯୋଗ ଆଣିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ। ରାଜ୍ୟ ସରକାର ଚାଷୀଙ୍କ ପାଇଁ ଧାନର ନ୍ୟାୟସଙ୍ଗତ ମୂଲ୍ୟ ଦେବାକୁ କହୁଥିବା ବେଳେ କିଛି ସରକାରୀ ପ୍ରକ୍ରିୟା ଏବଂ ପ୍ୟାକ୍ସମାନଙ୍କ ଦୁର୍ନୀତି ଚାଷୀ ଅକଳରେ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଏନେଇ ଟିଟିଲାଗଡ଼ ବିଧାୟକ ଅଚାନକ ସଇଁତଲା ବ୍ଲକ ଧରପଗଡ଼ ପ୍ୟାକ୍ସ, ଧରପଗଡ଼ ମା’ ମାଣିକେଶ୍ବରୀ ଏସଏଚଜି ଏବଂ ଗଣ୍ଡପତ୍ରାପାଳି ପେକ୍ସକୁ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଚାଷୀଙ୍କୁ ରାଜ୍ୟ ସରକାର ଧାନ ନକଟିବା ପାଇ ପରାମର୍ଶ ଦେଇ ଥିବା ବେଳେ ମିଲର୍ସ ଓ ପ୍ୟାକ୍ସ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କ ଧାନ କଟାଯାଉଥିବା ଚାଷୀ ଅଭିଯୋଗ ମଧ୍ୟ କରିଛନ୍ତି। ଜିଲ୍ଲା ପ୍ରଶାସନ ତଦାରଖ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇ ବିଧାୟକ ନବୀନ ଜୈନ କହିଛନ୍ତି।