କନକ ବ୍ୟୁରୋ: ଚକଅଖ, ଦୋକାନ ବଜାର, ସରକାରୀ କାର୍ୟ୍ୟାଳୟ ଓ ସ୍କୁଲ କଲେଜ ଆଦି ସବୁ ବନ୍ଦ । ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦର ପ୍ରଭାବ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀଙ୍କ ପ୍ରତି ସରକାର ଅଣଦେଖା କରିବା ସହ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆଯାଇଛି ।
- ଟ୍ରେନ୍ ଅଟକାଇ ପ୍ରତିବାଦ
- ବନ୍ଦକୁ ବିରୋଧୀଙ୍କ ସମର୍ଥନ
ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ବିରୋଧୀ ଦଳ। ବିଜେଡି ଓ କଂଗ୍ରେସ ଏହି ବନ୍ଦରେ ସାମିଲ ହୋଇଛନ୍ତି । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବନ୍ଦକୁ ସମର୍ଥନ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଥିବାରୁ ମାମଲାର ତୁରନ୍ତ ଶୁଣାଣି କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ତାରା ଦାବି କରିଛନ୍ତି ।
ଅଭିବକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରାର ପ୍ରଭାବ ମାଲକାନଗିରି, ନବରଙ୍ଗପୁର, ବୈପାରୀଗୁଡ଼ାରେ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାସହ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତାମିଲନାଡୁ ରାଜ୍ୟକୁ ଯୋଗାଯୋଗ ଠପ୍ ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।