କନକ ବ୍ୟୁରୋ: ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ମଙ୍ଗଳବାରଠୁ ଆରମ୍ଭ ହେବ ୧୧ତମ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତା । ସ୍ଥାନୀୟ ବିଜେବି ସ୍ବୟଂଶାସିତ କଲେଜ ପଡ଼ିଆଠାରେ ଏହି ପ୍ରତିଯୋଗିତା ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବ । ଏଥିରେ ୮ ଦଳ ଆୟୋଜକ ଭୁବନେଶ୍ବର ବାର୍‌ ଆସୋସିଏସନ୍‌, ଭୁବନେଶ୍ବର ରେଡ୍‌ସ, ପୁରୀ ବାର୍‌ ଆସୋସିଏସନ୍‌, ବାଲେଶ୍ବର ବାର୍‌ ଆସୋସିଏସନ୍‌, ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌, ବୋର୍ଡ ଅଫ୍‌ ରେଭିନ୍ୟୁ ବାର୍‌ ଆସୋସିଏସନ୍‌, ଢେଙ୍କାନାଳ ବାର୍‌ ଆସୋସିଏସନ୍‌ ଓ ସମ୍ବଲପୁର ବାର୍‌ ଆସୋସିଏସନ୍‌ ଅଂଶଗ୍ରହଣ କରିବେ ।

Advertisment

ଏହା ବି ପଢ଼ନ୍ତୁ: ୟୁ' ଟର୍ଣ୍ଣ ମାରିଲା ପାକିସ୍ତାନ, ଫେବ୍ରୁଆରି ୧୫ରେ ଭାରତ ସହ ଖେଳିବ

ପ୍ରତିଦିନ ୨‌ ଲେଖାଏଁ ମ୍ୟାଚ୍‌ ଖେଳାଯିବ । ପ୍ରଥମ ଦୁଇଦିନ କ୍ବାର୍ଟରଫାଇନାଲ୍‌ ଏବଂ ଗୁରୁବାର ସେମିଫାଇନାଲ୍‌ ଦ୍ବୟ ଖେଳାଯିବ । ଶୁକ୍ରବାର ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ରେ କମିସନରେଟ୍‌ ପୁଲିସ-୧୧ ଓ ପ୍ରଶାସନ-୧୧ ଏବଂ ସାମ୍ବାଦିକ-୧୧ ଓ ଓଡ଼ିଆ ଚଳଚ୍ଚିତ୍ର ତାରକା-୧୧ ଖେଳିବେ । ଶନିବାର ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ମଙ୍ଗଳବାର ଉଦ୍‌ଘାଟନୀ ଦିବସରେ ଭୁବନେଶ୍ବର ରେଡ୍‌ସ ଓ ପୁରୀ ଏବଂ ଭୁବନେଶ୍ବର ବାର୍‌ ଓ ବାଲେଶ୍ବର ବାର୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ସୋମବାର ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ବାର୍‌ ଆସୋସିଏସନ୍‌ର ସଭାପତି ଅଶୋକ କୁମାର ପାତ୍ର, ସମ୍ପାଦକ ସତ୍ୟରଞ୍ଜନ ସେନାପତି, କୋଷାଧ୍ୟକ୍ଷ ଦୀପ୍ତିପ୍ରସାଦ ନନ୍ଦ, ଯୁଗ୍ମସମ୍ପାଦକ ରଶ୍ମିରଞ୍ଜନ ମହାନ୍ତି, ଅକ୍ଷୟ କୁମାର ଦାସ, ରଞ୍ଜିତା ଦାସ, ଜୟନ୍ତ ଜେନା, ସନ୍ତୋଷ ଚୌଧୁରୀଙ୍କ ଅନ୍ୟକର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରତିଯୋଗିତା ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ ।