କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲିପଡିଛି ୧୧୮୭ ଅଧ୍ୟାପକ ପଦବୀ ।  ତେବେ ଏହାକୁ ପୂରଣ କରିବାକୁ ଗୃହରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ତାଙ୍କ ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୩ ଟି ବିଶ୍ୱବିଦ୍ୟାଳୟ ରହିଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୮ ସରକାରୀ ଓ ୭ ଘରୋଇ ସମେତ ୨୫ ବିଶ୍ଵବିଦ୍ୟାଳୟ ଅଛି । ସେହିପରି ଦକ୍ଷତା ବିକାଶ ବିଭାଗ ଅଧୀନରେ ୩ ସରକାରୀ ଓ ୫ ଘରୋଇକୁ ମିଶାଇ ୮ଟି  କୃଷି ବିଶ୍ଵବିଦ୍ୟାଳୟ, ୩ଟି ସ୍ୱାସ୍ଥ୍ୟ ବିଶ୍ଵବିଦ୍ୟାଳୟ, ୟୁଜିସି ଅଧୀନରେ ୩ ଘରୋଇ ବିଶ୍ଵବିଦ୍ୟାଳୟ, କେନ୍ଦ୍ର ସରକାରଙ୍କ ଗୋଟେ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ବିଭାଗ ଅଧୀନରେ ଗୋଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ବିଶ୍ଵବିଦ୍ୟାଳୟରେ କୁଲପତିଙ୍କ କାର୍ୟ୍ୟକାଳ ୪ ବର୍ଷ ଅଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ ବିଶ୍ୱବିଦ୍ୟାଳୟରେ କୁଳପତି ଅଛନ୍ତି । କେନ୍ଦୁଝର ଧରଣୀଧର ଓ ବିକ୍ରମ ଦେବ ଜୟପୁର ବିଶ୍ୱବିଦ୍ୟାଳୟ ଓଏସଡି ଜରିଆରେ ଚାଲିଛି, କାରଣ କୁଳାଧିପତି କୁଳପତି ଚୟନ କରନ୍ତି । କୁଳପତି ଚୟନ ନ ହେବା ଯାଏଁ ଓଏସଡି ଜରିଆରେ କାର୍ୟ୍ୟ ଚଳାଇବାକୁ କୁଳାଧିପତିଙ୍କ ନିର୍ଦେଶ ରହିଛି । ୟୁଜିସି ମାନ୍ୟତାକୁ ନେଇ ଖଲିକୋଟ ବିଶ୍ଵବିଦ୍ୟାଳୟର ଅନେକ କଥା ଉଠିଲା । ତେଣୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ଖଲିକୋଟ ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ବାରିପଦା ବିଶ୍ଵବିଦ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି । ତେବେ ୨୦୧୪ ଆଇନ ଅନୁସାରେ ଚାଲିଥିବା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟକାଳ ୨୬ ଜୁନ୍ ୨୦୨୭ ରେ ସରିବ । ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟକାଳ ୩୧ ଅଗଷ୍ଟ ୨୦୨୫ ରେ ସରିବାକୁ ଯାଉଛି ବୋଲି ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।