କନକ ବ୍ୟୁରୋ : ରୋଗୀ ସେବାରେ ନିୟୋଜିତ ଗାଡ଼ି ଏବେ ରୋଗାଗ୍ରସ୍ତ । ଅସୁସ୍ଥ ହୋଇଗଲାଣି ୧୦୮ ଆମ୍ବୁଲାନ୍ସ । ଭଙ୍ଗା ଦଦରା ଗାଡ଼ିରେ ଚାଲିଛି ରୋଗୀ ବୁହା । ଛାତ, କାନ୍ଥ କଳଙ୍କି ଲାଗି ଖାଇ ଗଲାଣି , ବର୍ଷାରେ ଗଲା ବେଳେ ଗାଡ଼ି ଭିତରେ ପାଣି ଗଳୁଛି । ଖାଲି ପାଣି ଗଳୁନି ଅଧା ବାଟରେ ଅଟକି ଯାଉଛି ଆମ୍ବୁଲାନ୍ସ । କେଉଁଥିରୁ ଧୂଆଁ ବାହାରିଲାଣି ତ ଆଉ କେଉଁଥିରେ କାମ କରୁନି ଏସି, ଫ୍ୟାନ୍ । କେତେକ ଆମ୍ବୁଲାନ୍ସର ଟାୟାର ଖରାପ ହୋଇଯାଇଥିବା ବେଳେ ଷ୍ଟେପିନ୍ ମଧ୍ୟ ନାହିଁ । ଏମିତି ଅବ୍ୟବସ୍ଥା ଭିତରେ ଗତି କରୁଛି ଜଗତସିଂହପୁର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ସେବା । ଅଧାରୁ ଅଧିକ ଆମ୍ବୁଲାନ୍ସର ଅବସ୍ଥା ବେହାଲ ହୋଇ ଯାଇଛି । ଆମ୍ବୁଲାନ୍ସ ଅସୁସ୍ଥ ହୋଇ ମରାମତି ଆବଶ୍ୟକ କରୁଥିବା ବେଳେ ଭଗବାନଙ୍କ ଭରସାରେ ଚାଲିଛି ରୋଗୀ ସେବା ।
ଗତ ମେ’ ୭ ତାରିଖରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗୁରୁତର ମହିଳା ରୋଗୀଙ୍କୁ ନେଇ କଟକ ଏସସିବି ମେଡିକାଲ ଯାଉଥିବା ୧୦୮ ଆମ୍ବୁଲାନ୍ ବାଲିଆ ଛକ ନିକଟରେ ଅଚଳ ହୋଇ ଯାଇଥିଲା । ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ସେହି ସ୍ଥାନରେ ଅଟକି ରହିଥିଲା । ରୋଗୀ ଗୁରୁତର ଥିବାରୁ ପରିବାର ଲୋକଙ୍କ ବ୍ୟସ୍ତତା ବଢ଼ି ଯାଇଥିଲା । ସ୍ଥାନୀୟ ଲୋକଙ୍କ ଭିତରେ ଏ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଉ ଏକ ଆମ୍ବୁଲାନ୍ସ ଡକାଯାଇ ସେଥିରେ ମହିଳା ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ପରେ କଟକ ନିଆ ଯାଇଥିଲା ।
ତେବେ ଏତିକିରେ ଶେଷ ହୋଇ ନାହିଁ ଆମ୍ବୁଲାନ୍ସର ଦୁଃଖ । ଗତ ୨୭ ତାରିଖରେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ରୋଗୀଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଆସୁଥିବା ବେଳେ ଡିହସାହି ନିକଟରେ ବନେଟରୁ ଧୂଆଁ ବାହାରିଥିଲା । ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା ଆମ୍ବୁଲାନ୍ସ । ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୧୫ଟି ଆମ୍ବୁଲାନ୍ସ ଗଡ଼ୁଥିବା ବେଳେ ୧୦ ଆମ୍ବୁଲାନ୍ସ ଅବସ୍ଥା ବେହାଲ ହୋଇଯାଇଛି । ଲଗାଣ ବର୍ଷାରେ ଆମ୍ବୁଲାନ୍ସ ଯିବା ସମୟରେ ସେହି ବାଟ ଦେଇ ପ୍ରବଳ ମାତ୍ରାରେ ପାଣି ଗଳୁଛି । ରୋଗୀ, ସେମାନଙ୍କ ସମ୍ପର୍କୀୟ, ଡ୍ରାଇଭର ଓ କର୍ମଚାରୀ ସମସ୍ତେ ଓଦା ହୋଇ ଯାତାୟତ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ୧୦୮ ଆମ୍ବୁଲାନ୍ସ ଅବସ୍ଥା ଖରାପ ହୋଇଗଲାଣି । ରାସ୍ତାରେ ଗଡ଼ୁଥିବା ଆମ୍ବୁଲାନ୍ସର ସ୍ଥିତିକୁ ଆରଟିଓ ଏବଂ ଏମଭିଆଇ ଯାଞ୍ଚ କରିବାର ନିୟମ ରହିଛି । କାହିଁକି ଯାଞ୍ଚ କରୁ ନାହାନ୍ତି ଆରଟିଓ, ଏମଭିଆଇ ସେନେଇ ପ୍ରଶ୍ନ ଉଠୁଛି ।