କନକ ବ୍ୟୁରୋ : ରୋଗୀ ସେବା ପାଇଁ ରହିଛି ୧୦୮ ଆମ୍ବୁଲାନ୍ସ ସେବା । ରୋଗୀଙ୍କୁ ମାଗଣାରେ ଡାକ୍ତରଖାନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଏହି ସେବା । କିନ୍ତୁ ଏବେ ବିପର୍ଯ୍ୟସ୍ଥ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା । ଘରୋଇ ସଂସ୍ଥା ଏମ୍ରି ଗ୍ରୀନ ହେଲ୍ଥ ସର୍ଭିସେସକୁ ଦାୟିତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ ବି ନିଦରେ ଶୋଇପଡିଛି ।
ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ସେବା ଯୋଗାଇ ଆସୁଛି ୧୦୮ ଆମ୍ବୁଲାନ୍ସ । ୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ଦେଉଛି ବୋଲି କୁହାଯାଉଛି । କିନ୍ତୁ କିଭଳି ଚାଲିଛି ଏହି ସେବା ତାହାର କରିଥିଲୁ ଆମେ ଅନୁସନ୍ଧାନ ।କାମାକ୍ଷାନଗରରେ ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ଫାଟିଲା ଆମ୍ବୁଲାନ୍ସ ଚକା । ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଅପେକ୍ଷା ପରେ ଆସିଲା ଆଉ ଏକ ଆମ୍ବୁଲାନ୍ସ । ରୋଗୀଙ୍କୁ ଅନ୍ୟ ଆମ୍ବୁଲାନ୍ସରେ ନିଆଗଲା । କିନ୍ତୁ କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଗଲା ।
ସେହିଭଳି ଯାଜପୁରରେ ରୋଗୀଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସରେ ଏସିର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଆମ୍ବୁଲାନ୍ସରେ ଏସି ନଥିବାରୁ ବିରକ୍ତ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ପେଟ୍ରୋଲ ପମ୍ପରେ ବନ୍ଧା ପଡିଛି ଆମ୍ବୁଲାନ୍ସ । ପେଟ୍ରୋଲ ପମ୍ପର ୧୯ ହଜାର ଟଙ୍କା ବାକି ଥିବାରୁ ଆମ୍ବୁଲାନ୍ସ ଛାଡିନଥିଲେ ପେଟ୍ରୋଲ ପମ୍ପ ମାଲିକ । ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଘନଘନ କଲ ଆସୁଥିଲେ ବି ଉପାୟଶୂନ୍ୟ ଥିଲେ ଆମ୍ବୁଲାନ୍ସ କର୍ମଚାରୀ । ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବାହାରେ ଛିଡା ହୋଇଛି ଆମ୍ବୁଲାନ୍ସ । ବାହାର ଚକାଚକ, କିନ୍ତୁ ଭିତରେ ଫମ୍ପା । ଭଙ୍ଗା ଅବସ୍ଥାରେ ରହିଛି ଏସି ଚ୍ୟାମ୍ୱର । ଏସି ସଜାଡିବା ପରେ ଏଭଳି ଚ୍ୟାମ୍ୱରକୁ ବ୍ୟାଣ୍ଡେଜ କନାରେ ବନ୍ଧା ଯାଇଛି ।
ଆମ୍ବୁଲାନ୍ସର ସମସ୍ୟା ନେଇ ଠିକା ସଂସ୍ଥା ଏମ୍ରି ଗ୍ରୀନ ହେଲ୍ଥ ସର୍ଭିସେସକୁ କର୍ମଚାରୀମାନେ ବାରମ୍ବାର ଅଭିଯୋଗ କଲେ ବି ସମାଧାନର ବାଟ ବାହାରି ପାରୁନଥିବା ଅଭିଯୋଗ ହୋଇଛି । ପ୍ରତ୍ୟେକ ଦିନ ଏଭଳି ସମସ୍ୟା ସାମ୍ନାକୁ ଆସୁଥିବାବେଳେ ଏଥିପ୍ରତି ଦୃଷ୍ଟି ଦେବାକୁ କାହାରି ପାଖରେ ସମୟ ନାହିଁ । ଅଭିଯୋଗ ଆସିଲେ ସମାଧାନ ହେଉଥିବା କହି ନିଜ ଦୋଷ ଛଡାଉଛନ୍ତି ଠିକା ସଂସ୍ଥାର କର୍ମଚାରୀ ।
ଆମ୍ବୁଲାନ୍ସର ସମସ୍ୟା ନେଇ ଖବର ପ୍ରସାରଣ ପରେ କିଛି ସମୟ ପାଇଁ ସଜାଗ ହୋଇଯାଉଛି ସ୍ୱାସ୍ଥ୍ୟ ବିଭାଗ, ସମାଧାନ ପାଇଁ ଘରୋଇ ସଂସ୍ଥାକୁ ଚିଠି ଲେଖି ଚୁପ ବସିଯାଉଛି । କାର୍ଯ୍ୟାନୁଷ୍ଠାନ ହେଲା କି ନାହିଁ ସେଥିପ୍ରତି ନଜର ଦେବାକୁ ବି ସମୟ ନାହିଁ ।