କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମେଡିକାଲ ଯାଉଥିବାବେଳେ ରାତିରେ ଅଚଳ ହେଲା ଆମ୍ବୁଲାନ୍ସ । ରୋଗୀ ଭିତରେ ଥିବାବେଳେ ବାହାରୁ ଆମ୍ବୁଲାନ୍ସକୁ ଧକା ମାରି ଠେଲି ଠେଲି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

Advertisment

ଗାଁ ଗହଳିର ଲୋକ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଭରସାରେ ରହୁଥିବାବେଳେ ଏଥିରେ ଯେଉଁ ବ୍ୟତିକ୍ରମ ହେଉଛି, ତାହା ସାଧାରଣ ଲୋକଙ୍କ ଭିତରେ ଭୟ ବଢ଼ାଇ ଦେଇଛି । ତେବେ ଗୁରୁତର ରୋଗୀଙ୍କୁ ଯଦି ଏଭଳି ଆମ୍ବୁଲାନ୍ସ ମିଳେ, ତା'ହାଲେ କଣ ହେବ ସ୍ଥିତି ଏଥିରୁ ଅନୁମାନ କରାଯାଇ ପାରୁଛି । ରାଜ୍ୟରେ କେବେ ଏହି ସମସ୍ୟା ଦୂର ହେବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଅଯଥାରେ ଆମ୍ବୁଲାନ୍ସକୁ ଫୋନ୍ କରି ହଇରାଣ କଲେ ମଦ୍ୟପ ଯୁବକ । ଯୁବକକୁ ବୋହି ଆଣି ଥାନାରେ ଜିମା ଦେଲେ ଆମ୍ୱୁଲାନ୍ସ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ ଡଙ୍ଗାଯୋର ଗାଁରେ । ବୁଧବାର ଦିନ ୧୦୮କୁ କଲ୍ କରି ଜଣେ ଶିଶୁଙ୍କ ଦେହ ଅସୁସ୍ଥ ଥିବା ଓ ତାଙ୍କୁ ଚିକିତ୍ସା ସୁବିଧା ଆବଶ୍ୟକ ଥିବା ଜଣାଇଥିଲେ ଡଙ୍ଗାଯୋର ଗାଁର ପିଣ୍ଟୁ ମୁଣ୍ଡା । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କର୍ମଚାରୀମାନେ ଡଙ୍ଗାଜୋର୍ ଗାଁକୁ ଯାଇ ପହଞ୍ଚିଥିଲେ । ହେଲେ ସେଠାରେ କୌଣସି ଶିଶୁଙ୍କ ଦେହ ଅସୁସ୍ଥ ନଥିବା ଜାଣିବାକୁ ପାଇଥିଲେ । ଆମ୍ବୁଲାନ୍ସକୁ କଲ୍ କରିଥିବା ପିଣ୍ଟୁକୁ କର୍ମଚାରୀମାନେ ପଚାରିବାରୁ ସେ ଥଟ୍ଟାରେ କଲ୍ କରି ଦେଇଥିବା କହିଥିଲେ ।