କନକ ବ୍ୟୁରୋ : ଗୁରୁତର ରୋଗୀ ମାନଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସର ଅବସ୍ଥା ବେହାଲ । କେତେବେଳେ ଆମ୍ବୁଲାନ୍ସର ଏସି କି ଫ୍ୟାନ୍ କାମ କରୁନି ତ କେତେବେଳେ ଟାୟାର ଖରାପ ଥିଲେ ଷ୍ଟେପିନ ବ୍ୟବସ୍ଥା ନାହିଁ । ରାଜ୍ୟରେ ଏମିତି ବ୍ୟାପକ ଅବ୍ୟବସ୍ଥା ଭିତରେ ଚାଲିଛି ଆମ୍ବୁଲାନ୍ସ ସେବା । 

Advertisment

ଜଗତସିଂହପୁର ଜିଲ୍ଲାରେ ଆମ୍ବୁଲାନ୍ସର ଛାତ କଳଙ୍କି ଖାଇଗଲାଣି । ବର୍ଷାରେ ଗଲାବେଳେ ଗଳୁଛି ପାଣି । ଖାଲି ପାଣି ଗଳୁନି, ଗୁରୁତର ରୋଗୀ ଯିବାବେଳେ ରାସ୍ତାରେ ଅଟକି ଯାଉଛି । କେତେକ ଆମ୍ବୁଲାନ୍ସର ଟାୟାର ଖରାପ ହୋଇଯାଇଥିବା ବେଳେ ଷ୍ଟେପିନ୍ ନାହିଁ । ଫଳରେ ଅଧା ରାସ୍ତାରେ ଅଚଳ ହୋଇଗଲେ ହିନସ୍ତା ହେଉଛନ୍ତି ଗୁରୁତର ରୋଗୀ । ଜଗତସିଂହପୁର ଜିଲ୍ଲାର ଅନେକ ଆମ୍ବୁଲାନ୍ସର ଅବସ୍ଥା ବେହାଲ୍ । ଲାଗୁଛି ଯେମିତି ଖାଲି ଭଗବାନଙ୍କ ଭରସାରେ ଚାଲିଛି ରୋଗୀସେବା । 

ମେ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗୁରୁତର ରୋଗୀଙ୍କୁ ନେଇ ଏସସିବି ଯାଉଥିବା ୧୦୮ ଆମ୍ବୁଲାନ୍ସ ହଠାତ୍‌ ବାଲିଆ ଛକରେ ଅଚଳ ହୋଇଥିଲା । ପ୍ରାୟ ଘଣ୍ଟାଏ କାଳ ଅଟକି ରହିଥିଲା ଆମ୍ବୁଲାନ୍ସ, ଛଟପଟ ହୋଇଥିଲେ ରୋଗୀ । ଆଉ ଏକ ଆମ୍ବୁଲାନ୍ସ ଡକାଯିବା ପରେ ରୋଗୀଙ୍କୁ କଟକ ନିଆଯାଇଥିଲା । ସେହିପରି ଗତ ୨୭ ତାରିଖରେ ନାଉଗାଁ ମେଡିକାଲରୁ ରୋଗୀଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ବେଳେ ବନେଟରୁ ବାହାରିଥିଲା ଧୂଆଁ । ତେବେ ସୌଭାଗ୍ୟବଶତଃ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା । କେବଳ ଜଗତସିଂହପୁର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଆମ୍ବୁଲାନ୍ସ ଅବ୍ୟବସ୍ଥା ଖବର ସାମ୍ନାକୁ ଆସୁଛି । ଏଠି ପ୍ରଶ୍ନ ଉଠୁଛି, କାହିଁକି ଯାଞ୍ଚ କରୁନାହାନ୍ତି ଆରଟିଓ ଏବଂ ଏମ୍‌ଭିଆଇ ? ରୋଗୀଙ୍କ ଜୀବନ ସହ କାହିଁକି ଚାଲିଛି ଖେଳ ?