କନକ ବ୍ୟୁରୋ: ଉଦଳାରେ ଛାତିଥରା ଦୁର୍ଘଟଣା। ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଧକ୍କା ଏତେ ଜୋର ଥିଲା ଯେ, ଓଲଟି ପଡିଲା ପୋଲିସ ଗାଡି। ଆଉ ଗାଡି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ। ଏହା ସହ ଆଇଆଇସି ଓ ପୋଲିସ ଡ୍ରାଇଭରଙ୍କ ଅବସ୍ଥା ଏବେ ଗୁରୁତର ରହିଛି। 

Advertisment

ସୋମବାର ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳି ବାରିକ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଂ କରୁଥିଲେ। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗାଡି ଛିଡା କରି ଚେକିଂ ପାଇଁ ଓହ୍ଲାଉଥିଲେ, ଏହି ସମୟରେ ବାରିପଦା ରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଦୃତ ବେଗରେ ଆସି ପୋଲିସ ଗାଡିକୁ ଧକ୍କା ଦେଇଥିଲା। ପୋଲିସ ଗାଡି ଓଲଟିବା ଫଳରେ ଗାଡ଼ିରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। 

ଆଇଆଇସି ବନମାଳି ବାରିକ, ଡ୍ରାଇଭର ସଦାନନ୍ଦ ସିଂ ମଧ୍ୟ ଗୁରୁତର ହୋଇ ପଡିଛନ୍ତି । ଅନ୍ୟପଟେ ୧୦୮ ଆମ୍ବୁଲାନ୍ସର ହେଲ୍ପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ପୋଲିସ ଗାଡି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳି ବାରିକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ଖବର ପାଇଁ ଏସଡିପିଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୁରା ଘଟଣା ଉପରେ ନଜର ରଖିଛନ୍ତି।