କନକ ବ୍ୟୁରୋ : ବ୍ୟାଙ୍କ ଧର୍ମଘଟରୁ ଠପ୍ ହେଲା ୧୦ ହଜାର କୋଟିର କାରବାର। ମଙ୍ଗଳବାର ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଥିଲା। ବ୍ୟାଙ୍କ ଶାଖାଗୁଡ଼ିକ ସାମ୍ନାରେ କର୍ମଚାରୀମାନେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଧର୍ମଘଟ ଦ୍ବାରା ସାରା ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି । ଚେକ୍‌ କ୍ଲିୟରିଂ ଓ ନଗଦ କାରବାର ହୋଇପାରି ନାହିଁ। ଧର୍ମଘଟରେ ୟୁଏଫ୍‌ବିୟୁ ଅଧୀନରେ ପାଞ୍ଚଟି ସଂଘ ଭାଗ ନେଇଥିଲା। ଏଆଇବିଓସି ଓ ଏଆଇବିଓଏ ଭଳି ଅଫିସର ସଂଘ ଏବଂ ଏଆଇବିଇଏ, ଏନ୍‌ସିବିଇ ଓ ବେଫି ଭଳି କର୍ମଚାରୀ ସଂଘ ସାମିଲ ହୋଇଥିଲା। ରାଜ୍ୟରେ ୩୫୦୦ରୁ ଅଧିକ ବ୍ୟାଙ୍କ ଶାଖା ରହିଥିବା ବେଳେ ସେଥିରୁ ପ୍ରାୟ ୧୭୦୦ ହେଉଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ୟାଙ୍କର ଶାଖା। ସେହି ଶାଖାଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ। ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଏହି ଧର୍ମଘଟରେ ଯୋଗଦେଇଥିଲେ।
 

Advertisment