କନକ ବ୍ୟୁରୋ: ଦେହ ଜରରେ ଖଇ ଫୁଟୁଛି । ଉଠିବାକୁ ଦେହରେ ଜୁ ନାହିଁ । ପାଟିରୁ ବି ବଚନ ବାହାରୁନି । ଘୁସୁରି ଘୁସୁରି ଯୋଉ ଦିଟା ଚାଉଳ ଫୁଟାଇଛି , ତାକୁ ଧରି ବସିଛି ଯେ, ହେଲେ ପାଟିକୁ ହାତ ଯାଉନି । କ’ଣ କରିବ , ନା ଯମ ନଉଛି, ନା କିଏ ବଞ୍ଚିବାକୁ ଦଉଛି ।... ଯାହା ପଚାରିଲେ ଖାଲି ଜୁଳୁ ଜୁଳୁ କରି ଚାହୁଁଛି ବୁଢି ମାଉସୀ ।...
ଭଦ୍ରକ ଚାନ୍ଦବାଲି ଧାନକିଆ ଗାଁର ରାଇ ଦାସ...ଆଇ କେଇ ଦିନ ଗଲେ ୧୦୦ ଛୁଇଁବ । ବୟସ ଥଲାବେଳେ କେତେ ଖଟୁଥିଲା । ଶୁଖୁଆ ଖଳାରେ କାମ କରୁକରୁ କେତେ ଦିନ ଯାଇ ସଞ୍ଜ ହେଉଥିଲା ହେଜ ରହୁନଥିଲା । ୩ ଝିଅ, ୨ ପୁଅଙ୍କ ଜଞ୍ଜାଳ ତା ସାଙ୍ଗକୁ ସ୍ୱାମୀର ଗଞ୍ଜଣା । ଟିକେ ଓଲମ ବିଲମ ହେଲେ କେତେ ମାଡଗାଳି , ତଥାପି ଗାଁ ଗାଁ ବୁଲି ଶୁଖୁଆ ବିକି ସମସ୍ତଙ୍କୁ ପାଳିପୋଷି ବଡ କଲା । ସମସ୍ତଙ୍କ ହାତକୁ ଦିହାତ କଲା । ହେଲେ ତା’ର ଯୋଉ କଷ୍ଟକୁ ସେଇ କଷ୍ଟ । କଷ୍ଟ ଏତେ ଯେ ତାକୁ ଆଖିରେ ଦେଖିହେଉନି ନା ପାଟିରେ କହି ହେଉଛି ।
ଝିଅକୁ ବାହା ଦେଇଥିଲେ ହେଲେ ସେ ଶାଶୁଘର ଛାଡି ଏଠି ରହିଲା । ପୁଅ ବାହାହେଲା, ହେଲେ ସେ ବୋହୂ ବି ଘର ଛାଡି ପଳାଇଲା । ଏବେ ଘରେ ଗାଦୀ ଜମାଇ ବସିଛି ଝିଅ ଆଉ ଜରି ତଳେ ପଡିଛି ବୁଢି ମା’ । ଖାଇବାକୁ ଦିଟା ନାହିଁ ବୋଲି ରାତି ପାହିଲେ ନଇଁ ନଇଁ ବାର ଘର ଯାଇ ମାଗେ । ଯାହା ଦିଟା ମିଳେ ତାକୁ ଫୁଟାଇ ଖାଏ । ଦେହ ସାଥ୍ ନଦେଲେ କାହାଘରୁ କ’ଣ ଦିଟା ମାଗି ଖାଇଦିଏ । ଆଉ ଥକା ଲାଗିଲେ ତାଙ୍କରି ପିଣ୍ଢାରେ ଶୋଇପଡେ ।
ଏ ଘରକୁ ଟିକେ ଦେଖିଲେ । ଗୋରୁ , କୁକୁର ବି ୟାଠାରୁ ଆହୁରି ଭଲ ଜାଗାରେ ରହୁଛନ୍ତି । ହେଲେ ଏଇଠି ବର୍ଷ ବର୍ଷ ଧରି ପଡିଛି ରାଈ ମାଉସୀ । କୋଠା ଘରେ ଝିଅ ଆରାମରେ ଚଳୁଥିବାବେଳେ ଶହେ ବର୍ଷ ବୁଢି ମା’ଟଠା କିନ୍ତୁ ଅଳିଆ ଗଦାରେ ପଡିଲା ଭଳି ପଡିଛି । ପୁଅ ବି ପାଚାରିବାକୁ ନାରାଜ । ହାତ ଗୋଡରେ ଟିକେ ଦବା ତ ଦୂରର କଥା , ଖାଇବାକୁ ଦିଟା ଦେଉନାହାଁନ୍ତି । ପର ହାତ ଟେକାରେ ପଡିଛି ରାଈ ମାଉସୀ ।
ଟିକେ ଚିନ୍ତା କଲେ ଯୋଉ ମା’ ନିଜ ଜୀବନକୁ ତିଳ ତିଳ କରି ପୁଅ ଝିଅଙ୍କୁ ବଡ କଲା, ସେହିମାନେ ତାକୁ ପର କରିଦେଲେ । ମନେହୁଏ ଏ ମା’ର ଏ ନୀରବତା ସେମାନଙ୍କ ପାଇଁ ପ୍ରଚଣ୍ଡ ଶାସ୍ତି, ଭୀଷଣ ଅଭିସମ୍ବାଦ । ଏ ସ୍ଥିତିରେ ରାଈ ମାଉସୀକୁ ଲୋଡା ଟିକେ ସରକାରଙ୍କ ସାହାଯ୍ୟ ... ସହଯୋଗ..