କନକ ବ୍ୟୁରୋ: ୧୦ ବର୍ଷ ହେଲା ଶଯ୍ୟାଶାୟୀ ସ୍ୱାମୀ । ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବିଛଣା ଧରିବା ପରେ ପରିବାରର ମଙ୍ଗ ସମ୍ଭାଳୁଛନ୍ତି ସ୍ତ୍ରୀ । ଭୋକ ଉପାସରେ ଜଡ଼ସଡ଼ ପରିବାରର ସାହାରା ପାଲଟିଛନ୍ତି। ୧୦ ପ୍ରାଣୀ କୁଟୁମ୍ବର ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି। ହାରିନାହାନ୍ତି, କି ପରିସ୍ଥିତି ଆଗରେ ଝୁଙ୍କିନାହାନ୍ତି, ବରଂ ନିଜ ମନକୁ ପଥର ଭଳି ଟାଣ କରି ସବୁ ପରିସ୍ଥିତିକୁ ସାମ୍ନା କରୁଛନ୍ତି।
ପୁରୀ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅଣକଣା ଗାଁର ଲିପିନା। ତରାଜୁର କଣ୍ଟା ପରି ସମାଜ ଦାଣ୍ଡରେ ନିଜକୁ ମାପିଚୁପି ଜୀବନ ସଂଗ୍ରାମର ଏକାକୀ ଲଢୁଥିବା ଜଣେ ସଂଗ୍ରାମୀ। ବଡ଼ିଭୋରରୁ ବିଳମ୍ବିତ ରାତି ଯାଏଁ, ଅଭାବ ସହ ଲଢୁଥିବା ଜଣେ ମାଆ। ରୋଗିଣା ସ୍ୱାମୀଙ୍କ ସେବା କରିବା ଏବଂ ୧୦ ପ୍ରାଣୀ କୁଟୁମ୍ବ ପାଇଁ ଦାନ ଖୋଜିବାରେ ବିତିଯାଉଛି ସମୟ। ଘରେ ସିଲାଇ ମେସିନ ପକାଇ କିଛି ରୋଜଗାର କରିବା ସହ ଆମିଷ ବାରିରେ ଗାଁ ଗାଁ ବୁଲି ମାଛ ବିକୁଛନ୍ତି। ସେଥିରେ ଯାହା ରୋଜଗାର ହେଉଛି ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ହେଉଛି। ଶାଶୁ, ଶ୍ୱଶୁର, ଜାଆ ଓ ୫ ପିଲାଙ୍କ ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ଲାଗିଛନ୍ତି।
୨୦୧୦ରେ ପ୍ରତାପ ବେହେରାଙ୍କ ହାତ ଧରି ଶାଶୁଘରେ ପାଦ ଦେଇଥିଲେ ଲିପିନା। ୨୦୧୪ରେ ଅସୁସ୍ଥ ହୋଇପଡ଼ିଲେ ସ୍ୱାମୀ। ଏହାରି ଭିତରେ ୧୦ ବର୍ଷ ବିତିଲାଣି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଚାରି-ଚାରି ଥର ଅପରେସନ ସରିଲାଣି। ସୁସ୍ଥ ହେବା ବଦଳରେ ଶଯ୍ୟାଶାୟୀ ହୋଇଯାଇଛନ୍ତି ପ୍ରତାପ। ସେପଟେ ୨୦ ବର୍ଷ ତଳୁ ଦାଦନ ଖଟିବାରୁ ରାଜ୍ୟ ବାହାକୁ ଯାଇଥିବା ଦେଢଶୁର ଆଉ ଫେରିନାହାନ୍ତି। ତେଣୁ ପରିବାରର ଦାୟିତ୍ୱ ମୁଣ୍ଡାଇ ପଦାକୁ ପାଦ କାଢ଼ିଛନ୍ତି ସାନ ବୋହୂ ଲିପିନା। ତେବେ ଲିପିନାଙ୍କ କାହାଣୀ ଅନେକ ଅସହାୟ ପରିବାରକୁ ପ୍ରେରଣା ଯୋଗାଇବ। ଆଗକୁ ବଢ଼ିବା ପାଇଁ ବାଟ ଦେଖାଇବ।