କନକ ବ୍ୟୁରୋ : ଗଣ ପର୍ବ ଦଶହରା ପୂର୍ବରୁ କଟକରୁ ବିପୁଳ ପରିମାଣରେ ବାଣ ଜବତ । ଅବାଧରେ ବେଆଇନ ବାଣ ଗୋଦାମ ଚାଲୁଥିବା ବେଳେ ଚଢାଉ କରି ପୁଲିସ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି । କଟକ ଭାନପୂରରେ ଏକ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରି ବାଣ ଜବତ ସହ ମାଲିକଙ୍କୁ ଗିରଫ କରିଛି । ଏହାଛଡା ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ମଧ୍ୟ ଜବତ୍ ହୋଇଛି । ଏହି ଗୋଦାମ କୌଣସି ଲାଇସେନ୍ସ ନଥିଲା । ବିନା ଲାଇସେନ୍ସରେ ବିପଦ ଜନକ ଅବସ୍ଥାରେ ବାଣ ତିଆରି ଚାଲିଥିଲା। ଆଗକୁ ଆସୁଥିବା ଦଶହରା, ବାଲିଯାତ୍ରା, ଦୀପାବଳୀ ପୂଜା ଲାଗି ଅଡର ନେଇ ବିପୁଳ ପରିମାଣର ବାଣ ତିଆରି ହେଉଥିଲା । ଅଭିଯୁକ୍ତ ସାଧୁ ଚରଣ ପରିଡ଼ାକୁ ପୁଲିସ ଗିରଫ କରିବା ପରେ ପଚରା ଉଚରା ଜାରି ରଖିଛି ।
ସେପଟେ ବୌଦ୍ଧ ବାଣ ବିସ୍ଫୋରଣ ଘଟଣାରେ ୫ ଗିରଫ, ବିପୁଳ ପରିମାଣର ବାଣ ଜବତ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମରେ ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଲୋକ କାଣ୍ଟିଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଆଲୋକ ଦୀର୍ଘ ବର୍ଷ ହେବ ନିଜ ଘର କଲେଜ ଛକ ସହ ୪ ଟି ଠିକଣାରେ ବାଣ ବିକ୍ରି କରୁଥିଲା। ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଆଲୋକଙ୍କୁ ଘର ଭଡ଼ା ଦେଇଥିବା ମାଲିକଙ୍କୁ ଗିରଫ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ନୀତି ଶେଖର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଘଟଣାରେ କ୍ଷୟକ୍ଷତି ହୋଇଥିବା ଘର ଗୁଡ଼ିକ ବୁଲି ଦେଖିଥିଲେ । ଏଥି ସହିତ ଘଟଣା ସ୍ଥଳରେ ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କେଉଁ କାରଣରୁ ବାଣ ବିସ୍ଫୋରଣ ହେଲା ସେ ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ହିଁ ଏସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇଜି ।