କନକ ବ୍ୟୁରୋ : ଯାଜପୁର ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା ନେଇ ଅସନ୍ତୋଷର ନିଆଁ କୁହୁଳୁଛି । ଯେକୌଣସି ସମୟରେ ଏହା ଉଗ୍ରରୂପ ନେଇପାରେ । କାର୍ଯ୍ୟାନୁଷ୍ଠାନ ପାଇଁ ଓଆରଏସ୍ ସଂଘ କାଲି ୨୪ ଘଣ୍ଟା ସମୟ ଦେଇଥିଲା । ଆଜି ଓଏଏସ୍ ସଂଘ ଘଟଣାକୁ ନିନ୍ଦା କରି ଓଆରଏସ୍ ସଂଘକୁ ସମର୍ଥନ କରିଛି ।
ଯାଜପୁର ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ଭାରପ୍ରାପ୍ତ ପୌରାଧ୍ୟକ୍ଷ ସୁବାସ ବଳ ଓ କିଛି କାଉନସିଲର ନିର୍ଯାତନା ଦେବା ଅଭିଯୋଗକୁ ୧୨ ଦିନ ପୂରିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଏନେଇ ଆଜି ଓଆରଏସ୍ ସଂଘ ଚେତାବନୀ ଦେବା ପରେ ଆଜି ଓଏଏସ ସଂଘ ସାମ୍ନାକୁ ଆସିଛି । ନିର୍ଯାତନା ଘଟଣାକୁ ନିନ୍ଦା କରିବା ସହ ଓଆରଏସ୍ ସଂଘକୁ ଚିଠି ଲେଖି ସମର୍ଥନ ଜଣାଇଛି । ସେପଟେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ପୁଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଆରଏସ ସଂଘ । ବିଳମ୍ବ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଓଆରଏସ୍ ସଂଘ ସଭାପତି କହିଛନ୍ତି ।
ସେପଟେ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଉଛି ବୋଲି ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଦିଗରେ ସରକାର ତତ୍ପର ଅଛନ୍ତି । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ସମ୍ପୃକ୍ତ କର୍ମଚାରୀ ତୁରନ୍ତ ଥାନାରେ ଏତଲା ଦେଇ ତାଙ୍କ ପାଖକୁ ପଠାନ୍ତୁ । ଅଭିଯୁକ୍ତଙ୍କର ରାଜନୈତିକ ଲିଙ୍କ ଥାଉ କି ଯିଏ ହୁଅନ୍ତୁ କାହାକୁ ଛଡ଼ାଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ଗତ ଜୁନ ୨୬ ତାରିଖରେ ବ୍ୟାସନଗର ଭାରପ୍ରାପ୍ତ ପୌରାଧ୍ୟକ୍ଷ ଓ କିଛି କାଉନସିଲର ନିର୍ବାହୀ ଅଧିକାରୀଙ୍କୁ ୮ ଘଣ୍ଟା ଅଟକ ରଖିଥିଲେ । ମାନସିକ ନିର୍ଯାତନା ସହ କିଛି କାଗଜପତ୍ରରେ ଜବରଦସ୍ତ ଦସ୍ତଖତ କରାଇ ନେଇଥିବା ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜଣେ ବିଧାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ବ୍ୟାସନଗର ଘଟଣାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।