କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ପାଇଁ ଲକ୍ଷ ଲକ୍ଷ ମହିଳା ଅପେକ୍ଷା କରିଛନ୍ତି । ଏଥର ମିଳିବ କି ନାହିଁ ସେ ନେଇ ଆଶା ଆଶଙ୍କାରେ ଅଛନ୍ତି । ଆଉ ଏହାରି ଭିତରେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପରୀକ୍ଷାମୂଳକ ଭାବେ ଟଙ୍କା ପଠାଇଛନ୍ତି ସରକାର।
- ଖାତାକୁ ଆସିଲା ୧ଟଙ୍କା
- ୯ରେ ଆସିବ ପୂରା ଟଙ୍କା
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦ୍ବିତୀୟ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ, ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଖାତାକୁ ପରୀକ୍ଷାମୂଳକ ଭାବେ ଆସିଛି ୧ଟଙ୍କା। ଆଉ ମୋବାଇଲକୁ ମେସେଜ୍ ଆସିବା ପରେ ହିତାଧିକାରୀ ଖୁସି ହୋଇଛନ୍ତି। ତେବେ ସୋମବାର ସୁଦ୍ଧା ୩୨ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ କ୍ଲିୟରାନ୍ସ ହୋଇସାରିଛି। ସେମାନଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ଟଙ୍କା ଯାଇଛି । ଆସନ୍ତା ୯ ତାରିଖରେ ଅବଶିଷ୍ଟ ୪୯୯୯ ଟଙ୍କା ଆକାଉଣ୍ଟକୁ ଆସିବ । ଗୋପବନ୍ଧୁ ଜୟନ୍ତୀରେ ବାରିପଦାରେ ଆୟୋଜିତ ସଭାରୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ। ତେବେ ଯେଉଁମାନେ ଏହି ପର୍ଯ୍ୟାୟରେ ସାମିଲ ହୋଇନପାରିବେ, ସେମାନଙ୍କୁ ଡିସେମ୍ବର ସୁଦ୍ଧା ପ୍ରଥମ କିସ୍ତି ମିଳିବ।
ପ୍ରଥମ କିସ୍ତି ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ ପାଇଁ ବାରିପଦା ଛଉପଡିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସାଂସଦ ସାମିଲ ହେବେ। ୫୦ ହଜାର ଲୋକ ଯୋଗ ଦେବା ପାଇଁ ଆୟୋଜନ ହୋଇଛି।
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ କୋଟିଏରୁ ଅଧିକ ମହିଳା ଆବେଦନ କଲେଣି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ପାଇବା ପାଇଁ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଅପ ଟୁ ଡେଟ୍ ରଖିବା ପାଇଁ ପଡିବ। ଆବେଦନକାରୀଙ୍କ ଫର୍ମରେ ତ୍ରୁଟି ଥିଲେ ତାହାର ଯାଞ୍ଚ କରାଯିବ । ବ୍ୟାଙ୍କ ମିତ୍ରଙ୍କ ଜରିଆରେ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Follow Us