କନକ ବ୍ୟୁରୋ: ଜଳଯୋଗାଣ ବିଭାଗ ସହ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଗାଁ ଗାଁରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି । ବସୁଧା ଭଳି ବହୁ ଯୋଜନାରେ କୋଟି କୋଟି ଖର୍ଚ୍ଚ କରାଯାଉଛି । ପାଣି ଟାଙ୍କି, ଷ୍ଟାଣ୍ଡ ପୋଷ୍ଟ, ନଳକୂପ ଖନନ କରାଯାଉଛି । ହେଲେ ସବୁ ଗାଁର ଶୋଷ ମେଣ୍ଟୁନାହିଁ । ସବୁ ଲୋକଙ୍କୁ ଜଳଯନ୍ତ୍ରଣାରୁ ମୁକ୍ତି ମିଳୁନାହିଁ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ଗାଁରେ ଯୋଜନା ଥାଇ ମଧ୍ୟ ପିଇବା ପାଣି ମିଳୁନି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିରବତା ସ୍ଥାନୀୟ ଲୋକେ ଉତ୍କଟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ।
ଏହା ବି ପଢ଼ନ୍ତୁ:ବିପଦପୂର୍ଣ୍ଣ ଘରେ ୭ ପ୍ରାଣୀ କୁଟୁମ୍ବ, ଅଭାବୀ ପରିବାରଠୁ ଯୋଜନ ଦୂରରେ ଯୋଜନା
ବ୍ଲକ ମୁଖ୍ୟାଳୟଠୁ ଗାଁର ଦୂରତା ମାତ୍ର ୧୫ କିଲୋମିଟର । ପୁଣି ଗାଁରେ ହିଁ ରହିଛି ପଞ୍ଚାୟତ କାର୍ଯ୍ୟାଳୟ । ଗାଁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ କୋଟିଏ ଖର୍ଚ୍ଚ, କାମ ଶୂନ । ଗାଁ ଲୋକଙ୍କୁ ମିଳୁନାହିଁ ପାଇପ୍ ପାଣି । ଗ୍ରୀଷ୍ମ ଆରମ୍ଭରୁ ଜଳ ଯନ୍ତ୍ରଣା ଭୋଗୁଛନ୍ତି ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ଡ଼କଲା ଗାଁ । ବଡ଼ଡ଼କଲା ଜଳ ସମସ୍ୟା ସୁଧାରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ୭୦ ହଜାର କ୍ଷମତା ବିଶିଷ୍ଟ ଓଭରହେଡ୍ର ଟାଙ୍କି ଠିଆ ହୋଇଛି । ସେଥିପାଇଁ ରାଜକୋଷରୁ ୧ କୋଟି ୩୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଗାଁର ଗହନ୍ତିଆପଡ଼ା, ହରିଜନପଡ଼ା, ବରିହାପଡ଼ା, ଖରୁଜପଡ଼ା ଓ ଲେଞ୍ଜାପଡ଼ାକୁ ଜଳ ଯୋଗାଣ ପାଇଁ ପାଇପ୍ ପଡ଼ିଛି । ଅନେକ ସ୍ଥାନରେ ପାଇପ୍ ଫାଟି ଗଲାଣି । କିଛି ସ୍ଥାନର ପାଇପ୍ ବିଲକୁଲ୍ ନାହିଁ । ସେପଟେ ଓଭର ହେଡ୍ ଟାଙ୍କି ତିଆରି ଦିନଠୁ ଗାଁରେ ଟୋପାଏ ବି ପାଣି ମିଳିନାହିଁ । କୌଣସି ପଡ଼ାକୁ ପିଇବା ପାଣି ଯୋଗାଣ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଗାଁରେ ପାଣି ସମସ୍ୟା ନେଇ ପଡାବାସୀ ଅନେକ ଥର ବିଭାଗ ଅଧିକାରୀ ତଥା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ପ୍ରକଳ୍ପକୁ କାର୍ଯ୍ୟକ୍ଷେମ କରିବା ପାଇଁ ବାରମ୍ବାର ଦାବି କରିଛନ୍ତି । କାରଣ ଗାଁରେ ଥିବା ୧୫ଟି ନଳକୂପ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇପଡ଼ିଛି । ଯେଉଁଥିରୁ ପାଣି ବାହାରୁଛି, ତାହା ଖରା ଦିନେ ଶୁଖିଯାଏ । ବର୍ଷ ବର୍ଷ ଧରି ପଡ଼ାବାସୀ ଏମିତି ଅବସ୍ଥାରେ ପଡି ରହିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଦୃଷ୍ଟି ପଡୁନାହିଁ । ଆମେ କ’ଣ ପ୍ରଶାସନର ସାବତ ପୁଅ? ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ କଣ୍ଟାବାଞ୍ଜି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏସଡିଓ କହିଛନ୍ତି, ଭୂତଳ ଜଳସ୍ତର ତଳକୁ ଖସିଯାଉଛି, ତେଣୁ ନଳକୂପରୁ ପାଣି ବାହାରୁନି । ଅତିଶୀଘ୍ର ଗାଁରେ ପାଣି ସମସ୍ୟାର ସମାଧାନ କରାଯିବ ।
ଆଗକୁ କଣ ହେବ ସେକଥା ଛାଡ଼ନ୍ତୁ । ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ ଦେଖିବାକୁ ମିଳିଲାଣି । ତେବେ କେବେ ପ୍ରାଶାସନିକ ଅଧିକାରୀଙ୍କ ନଜର ପଡ଼ିବ, ବଡ଼ଡକଲା ଗାଁରେ ପାନୀୟଜଳ ସମସ୍ୟାର ସମାଧାନ ହେଉଛି, ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/05/water-scarcity-2026-03-05-22-27-31.png)