କନକ ବ୍ୟୁରୋ : କେନ୍ଦ୍ରାପଡ଼ାର ପ୍ରଭୁ ବଳଦେବଜିଉଙ୍କ ପାଇଁ ନିର୍ମାଣ ହେବ ନୂତନ ରଥ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହାସିକ ରଥର ନିର୍ମାଣ ପାଇଁ ୧ କୋଟି ଟଙ୍କାର ଏକ ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି । ବିଗତ କିଛି ବର୍ଷ ଧରି ବ୍ରହ୍ମ ତାଳଧ୍ୱଜ ରଥର ୧୪ଟି ଯାକ ଚକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଥିଲା, ଯାହାଫଳରେ ରଥଯାତ୍ରା ସମୟରେ ଅନେକ ବିଘ୍ନ ସୃଷ୍ଟି ହେଉଥିଲା । ରଥ ଟଣା ହେବା ବେଳେ ଏହା ବାରମ୍ବାର କଡ଼ ଖାଇ ଅଟକି ଯାଉଥିଲା, ଯାହାଦ୍ୱାରା ମହାପ୍ରଭୁଙ୍କ ରଥ ନିର୍ଦ୍ଧାରିତ ସମୟରେ ମାଉସୀ ମାଆ ମନ୍ଦିରରେ ପହଞ୍ଚି ପାରୁନଥିଲା । ଏହି କାରଣରୁ ରଥ ଚକଡ଼ାରେ ଲାଗିବା ପାଇଁ ପ୍ରାୟତଃ ଏକ କିମ୍ବା ଦୁଇ ଦିନ ବିଳମ୍ବ ହେଉଥିଲା ଏବଂ ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସମସ୍ୟା ପରିଲକ୍ଷିତ ହେଉଥିଲା ।

Advertisment

ରଥ ପରିଚାଳନାରେ ଏହିପରି ବାରମ୍ବାର ବିଭ୍ରାଟ ଘଟିବା ଫଳରେ ଭକ୍ତମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହେଉଥିଲା ଏବଂ ରଥଯାତ୍ରାର ଶୃଙ୍ଖଳା ମଧ୍ୟ ବ୍ୟାହତ ହେଉଥିଲା । ଭକ୍ତଙ୍କ ଭାବନା ଏବଂ ଐତିହ୍ୟକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସରକାର ଏହି ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି  । ଏହି ଅର୍ଥରେ ଏଥର ସମ୍ପୂର୍ଣ୍ଣ ନୂତନ ଭାବେ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କରାଯିବ। ସରକାରଙ୍କ ଏହି ଘୋଷଣା ପରେ କେନ୍ଦ୍ରାପଡ଼ାବାସୀ ଏବଂ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆନନ୍ଦର ଲହରି ଖେଳିଯାଇଛି । ଏହା କେନ୍ଦ୍ରାପଡ଼ା ଜିଲ୍ଲାର ଧାର୍ମିକ ଓ ସାଂସ୍କୃତିକ ଗୌରବକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ---ପ୍ରେମ ପାଇଁ ତଳକୁ ଖସିଗଲା ଜନ୍ମକଲା ଝିଅ ; ମାଆ ଓ ଭାଇକୁ କଲା ହତ୍ୟା