କନକ ବ୍ୟୁରୋ: ଛତିଶଗଡ଼ରେ ମାଓ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ନାରାୟଣପୁର କୋହକମେଟା ଜଙ୍ଗଲରେ ଠାବ ହୋଇଛି ମାଓ ଶିବିରି । ସେଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ଇଲୋକ୍ଟ୍ରୋନିକ୍ସ ଗେଜେଟ ଜବତ ହୋଇଛି ।
ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋହକମେଟା ଜଙ୍ଗଲରେ ଥିବା ମାଓବାଦୀଙ୍କ ଶିବିର ଉପରେ ଚଢ଼ାଉ କରିଛନ୍ତି ସୁରକ୍ଷାକର୍ମୀ । ମାଓବାଦୀଙ୍କ ଶିବିରରୁ ବିପୁଳ ପରିମାଣର ନଗଦ ଟଙ୍କା, ଲ୍ୟାପଟପ ଓ ଗୁଳିଗୋଳା ଜବତ ହୋଇଛି । ଡିଆରଜି ଓ ଆଇଟିବିପି ଯବାନଙ୍କ ପକ୍ଷରୁ କୋହକମେଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେପଟେ ବିଜାପୁର-ସୁକମା ଘଞ୍ଚ ଜଙ୍ଗଲରେ ଟପ୍ ମାଓନେତା ହିଡ଼ମାଙ୍କ କଂକ୍ରିଟ୍ ବଙ୍କରର ଚିତ୍ର ସାମ୍ନାକୁ ଆସିଛି । ଆତ୍ମଗୋପନ ପାଇଁ ହିଡ଼ମା ବ୍ୟବହାର କରୁଥିବା ବଙ୍କରକୁ ଠାବ କରିବା ପରେ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ ।
ସୁରକ୍ଷାକର୍ମୀଙ୍କ ଆକ୍ସନ ପରେ ଛନକା ବଢ଼ିଛି । ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହିଁଛନ୍ତି ମାଓବାଦୀ। ଛତିଶଗଡ ସୁକୁମା ପୁଲିସ ନିକଟରେ ୩୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଗତ ୧୫ ମାସରେ ଏନକାଉଣ୍ଟରରେ ୩୩୪ ମାଓବାଦୀଙ୍କ ଜୀବନ ଗଲାଣି । ତେଣୁ ଭୟରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି ।
ଛତିଶଗଡ଼ରେ ମାଓଦମନ ଅଭିଯାନ ଜୋରସୋରରେ ଚାଲିଛି । ସୁରକ୍ଷାକର୍ମୀଙ୍କ ଘନ ଘନ ଆକ୍ରମଣରେ ଟପ୍ ମାଓ କ୍ୟାଡରଙ୍କ ମୃତ୍ୟୁ ଲାଲ ସଙ୍ଗଠନକୁ ଦୋହଳାଇ ଦେଇଛି । ଏପରି ସମୟରେ ସରକାରଙ୍କ ସହ ଶାନ୍ତି ଆଲୋଚନା ପାଇଁ ମାଓ ସଙ୍ଗଠନ ବାରମ୍ବାର ପ୍ରସ୍ତାବ ଦେଉଛି ।