କନକ ବ୍ୟୁରୋ : କଟକ ସିଡିଏରେ ଅବହେଳିତ ହୋଇପଡ଼ିଛି ଗାଡ଼ି ଚାଳନା ପରୀକ୍ଷାକେନ୍ଦ୍ର । ଆରଟିଓ ପରିଚାଳିତ ଏହି କେନ୍ଦ୍ର ପରିସରରେ ଚାରିଆଡେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଗଲାଣି । ଟ୍ରାକ୍ ଗୁଡ଼ିକ ଲିଭି ଗଲାଣି । ପ୍ରତ୍ୟେକ ଦିନ ଏଠାରେ ଶହଶହ ଲୋକଙ୍କ ଡ୍ରାଇଭିଂ ଟେଷ୍ଟ କରାଯାଉଛି, କିନ୍ତୁ ଏହାର ଯତ୍ନ ନିଆଯାଉନାହିଁ।
ଟ୍ରାକ୍ ଦିଶୁନି, ଚିହ୍ନସବୁ ଲିଭି ଗଲାଣି । କଂକ୍ରିଟ ଭାଙ୍ଗି ମାଟି ଦେଖାଗଲାଣି । ଗାଡ଼ି ଚାଳନା ପରୀକ୍ଷାକେନ୍ଦ୍ର ପରିସରରେ ଚାରିଆଡ଼େ ଆବର୍ଜନା ସାଙ୍ଗକୁ ଧୂଳିର ଆସ୍ତରଣ । ଏଭଳି ସ୍ଥିତିରେ ଚାଲିଛି ସିଡିଏ ସେକ୍ଟର- ୭ରେ ଥିବା ଗାଡ଼ିଚାଳନା ପରୀକ୍ଷାକେନ୍ଦ୍ର। କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ -ଆରଟିଓ ଅଧୀନରେ ଏହା ପରିଚାଳିତ ହେଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯାଉନାହିଁ । ପ୍ରତିଦିନ ଏଠାରେ ଶହଶହ ଲୋକଙ୍କର ଡ୍ରାଇଭିଂ ଟେଷ୍ଟ ଚାଲିଛି, କିନ୍ତୁ ଏହାର ଯତ୍ନ ନେବା ପାଇଁ ସତେ ଯେମିତି କେହି ନାହାନ୍ତି ।
ଗାଡ଼ି ଚାଳନା ପରୀକ୍ଷାକେନ୍ଦ୍ରର ନବୀକରଣ ପାଇଁ ବର୍ଷେ ତଳେ ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ କରାଯାଇଥିଲା ଟେଣ୍ଡର ପ୍ରକ୍ରିୟା । ପୁରୁଣା କୋଠାର ମରାମତି ନିମନ୍ତେ ରାଜ୍ୟ ପରିବହନ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଏକବର୍ଷ ବିତିବାକୁ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାମ ଆରମ୍ଭ ହୋଇନାହିଁ । ନବୀକରଣ ଯୋଜନା ଏବେ ବି ଯୋଜନାରେ ସୀମିତ ହୋଇରହିଛି । ଏପଟେ ଟ୍ୟାପ୍ ପାଣି ବାହାରି ଟ୍ରାକ୍ରେ ପଡୁଛି । କିଛି କିଛି ସ୍ଥାନରେ ଗଛ ଉଠିଲାଣି ।
ଗାଡ଼ି ଚାଳନା ପରୀକ୍ଷାକେନ୍ଦ୍ରର ଉନ୍ନତି ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ-ଡିପିଆର ପ୍ରସ୍ତୁତ ହୋଇଥିଲା । ପୂର୍ତ୍ତ ବିଭାଗ ନବୀକରଣ କରିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ନୂଆ ଟ୍ରାକ୍ ସହ ସୂଚନା ଫଳକ, ପାନୀୟଜଳ ବ୍ୟବସ୍ଥା, ପ୍ରତୀକ୍ଷାଳୟରେ ବସିବା ପାଇଁ ଚୌକି ବ୍ୟବସ୍ଥା ଆଦି କରିବାକୁ ନିଷ୍ପତ୍ତି ହୋଇଥିଲେ ବି ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ । କେଉଁଦିନ ନବୀକରଣ ହେବ, ତାହା ଦେଖିବାକୁ ବାକି ରହିଲା ।