କନକ ବ୍ୟୁରୋ : ଆସୁଛି କାଳୀ ପୂଜା । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁରରେ ବେଶ୍ ଧୁମଧାମରେ ଚାଲିଛି କାଳୀ ପୂଜା ପ୍ରସ୍ତୁତି । ମା’ ଦକ୍ଷିଣ କାଳୀଙ୍କ ମୂର୍ତ୍ତି ଗଢ଼ାରେ ମଗ୍ନ ହୋଇଯାଇଛନ୍ତି କାରିଗର । କାଳିକା ପଡ଼ିଆର ଶ୍ମଶାନରୁ ସେଥିପାଇଁ ମାଟି ଅଣାଯାଇଛି । ଏଥି ସହ ମନ୍ଦିର ପାର୍ଶ୍ବ ଦେବଦେବୀଙ୍କ ମୂର୍ତ୍ତିରେ ଚାଲିଛି ରଙ୍ଗ କାର୍ଯ୍ୟ । ଗାଁ ଦାଣ୍ଡ, ମନ୍ଦିର ପ୍ରାଙ୍ଗଣ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜେଇ ମା’ଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ଭକ୍ତ ।
ନିଶାର୍ଦ୍ଧ ରାତିରେ ମା’ଙ୍କ ପୂଜା ଆରମ୍ଭ ହେବ। କଳସୀ ଆବାହନ, ଘଟ ସ୍ଥାପନ, କୁଷ୍ମାଣ୍ଡ ବଳି, କର୍କରି ସଂସ୍କାର, ପ୍ରାଣ ପ୍ରତିଷ୍ଠା, କୋଟି ଯୋଗିନୀ ପୂଜା, ବିସର୍ଜନ ହୋମ କରି ରାତି ତମାମ ଚାଲେ ତନ୍ତ୍ର ପାଠ । ଏବଂ ମନ୍ତ୍ର ପାଠ ସରିବା ପରେ ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ଦକ୍ଷିଣ କାଳୀ।
ବୀରଗୋବିନ୍ଦପୁରର କାଳୀ ପୂଜା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଭିଡ଼ ଜମେ। ଯାହାକୁ ଦୃଷ୍ଟିରେ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।