କାହିଁକି ନବଦାସଙ୍କୁ ଗୁଳିମାଡ଼ କଲେ ଗୋପାଳ ? ପାଇଖାନା ଟାଙ୍କିରୁ ମିଳିଥିବା ଟୁକୁଡା କାଗଜରେ ଲୁଚିଛି କି ଗୁମର

Advertisment
କାହିଁକି ନବଦାସଙ୍କୁ ଗୁଳିମାଡ଼ କଲେ ଗୋପାଳ ? ପାଇଖାନା ଟାଙ୍କିରୁ ମିଳିଥିବା ଟୁକୁଡା କାଗଜରେ ଲୁଚିଛି କି ଗୁମର

କନକ ବ୍ୟୁରୋ : କାହିଁକି ନବଦାସଙ୍କୁ ଗୁଳିମାଡ଼ କଲେ ଏଏସ୍ଆଇ ଗୋପାଳ ଦାସ । ହତ୍ୟାର ୫ ଦିନ ପରେ ବି ହଟିପାରୁନି ରହସ୍ୟ । ପାଇଖାନା ଟାଙ୍କିରୁ ମିଳିଥିବା ଟୁକୁଡା କାଗଜରେ ଲୁଚିଛି କି ଗୁମର । ଉଦ୍ଧାର ହୋଇଥିବା କାଗଜରେ ଲାଲ ରଙ୍ଗର କାଳିରେ ଓଡ଼ିଆରେ କିଛି ଲେଖାଯାଇଛି । ପ୍ରାୟ ସବୁ କାଗଜ ଓଦା ଓ ଛୋଟ ଛୋଟ ଖଣ୍ଡ ରହିଛି । ପାଣିରେ ବତୁରି ଯାଇଥିବାରୁ ଅଧିକାଂଶ ଅକ୍ଷର ଅସ୍ପଷ୍ଟ ଦେଖାଯାଉଛି । ଯାହାକୁ ପଢିବା ସହଜ ନୁହେଁ ।

ତେଣୁ କାଗଜ ଟୁକୁଡାକୁ ଫରେନସିକ୍ ଲାବକୁ ପଠାଯାଇ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞଙ୍କ ଦ୍ୱାରା ଲିଭାଯାଇଥିବା ଅକ୍ଷର ପୁନରୁଦ୍ଧାର କରାଯିବ । ଏହା ସହ ଏହାକୁ ପରୀକ୍ଷା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁଳିକାଣ୍ଡ ପରେ ପୋଲିସ୍ ହେପାଜତରେ ଥିବାବେଳେ ଏହି କାଗଜକୁ ପାଇଖାନାରେ ଫ୍ଲସ କରି ଦେଇଥିଲେ ଗୋପାଳ । ଜେରା ସମୟରେ କହିବା ପରେ ଖୋଜାଖୋଜି ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ । ସେହିପରି ଅଭିଯୁକ୍ତ ଗୋପାଳ ଦାସର ଆର୍ଥିକ ନେଣଦେଣ ବି ଯାଂଚ କରାଯାଉଛି । ଗୋପାଳ ଦାସର ଜଣେ ନିକଟତମ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ହେଲେ କ୍ରାଇମବ୍ରାଞ୍ଚ ଏହି କାଗଜ ରହସ୍ୟର ଉନ୍ମୋଚନ କରିବା ପରେ ସ୍ଥାନୀୟ ପୁଲିସର ଭୂମିକା ସନ୍ଦେହକୁ ଚାଲିଆସିଛି। ପ୍ରଶ୍ନ ଉଠୁଛି, ନବଙ୍କୁ ଗୁଳିମାରିବା ପରେ ପରେ ହିଁ ଝାରସୁଗୁଡ଼ା ପୁଲିସ ଗୋପାଳଙ୍କୁ ଘଟଣାସ୍ଥଳରୁ କାବୁ କରି ନେବା ସହିତ ବିମାନବନ୍ଦର ଥାନାକୁ ଆଣିଥିଲେ। ତାଙ୍କ ପକେଟ୍‌ରୁ ଗୁଳି ଜବତ କରାଗଲା ଓ ବନ୍ଧୁକ ଓ ମୋବାଇଲ୍ ଫୋନ୍ ବି। ହେଲେ ଗୋପାଳଙ୍କ ପାଖରେ ଥିବା ଏସବୁ କାଗଜ ସଂପର୍କରେ କେହି କେମିତି ଜାଣି ପାରିଲେନାହିଁ ?

ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ଧରାପଡ଼ିବା ସମୟରେ ତଦନ୍ତକାରୀ ଅଧିକାରୀ ପ୍ରଥମେ ତା’ ପକେଟ ଯାଞ୍ଚ କରିଥାନ୍ତି । କାଳେ ଏଥିରେ କୌଣସି ମାରଣାସ୍ତ୍ର କିମ୍ବା ଆପତ୍ତିଜନକ ସାମଗ୍ରୀ ଥିବ, ସେଥିପାଇଁ ତଲାସି କରାଯାଏ । ଏହା ବ୍ୟବସ୍ଥାର ସବୁଠୁ ଗୁରୁତ୍ବପୂର୍ଣ୍ଣ ନିୟମ । ଏ କ୍ଷେତ୍ରରେ ତାହା କିଭଳି ପାଳନ ହୋଇନାହିଁ, ତାହା ପ୍ରଶ୍ନର ବିଷୟ। ଏହି କଥାଟିକୁ ଅତି ସହଜରେ ଗ୍ରହଣ କରିହେଉନାହିଁ । ସ୍ଥାନୀୟ ପୁଲିସ ଏସବୁକୁ ଜାଣିଶୁଣି ବାହାର କରିନଥିଲା ନା ପୁଲିସର ଅପାରଗତା ତାହା ତଦନ୍ତସାପେକ୍ଷ ।

ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଆଜି ସୂଚନା ଦେଇଛନ୍ତି ଯେ ନବ ଦାସଙ୍କୁ ଗୁଳିମାଡ଼ ମାମଲାରେ ଗୋପାଳ ନିଜ ସର୍ଭିସ୍ ପିସ୍ତଲରୁ ଯେଉଁ ଗୁଳି ଫୁଟାଇଥିଲେ, ସେହି ଗୁଳି ହସ୍ତଗତ ହୋଇଛି । କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ପ୍ରମୁଖ ପ୍ରମାଣ ହୋଇଥିବା ବେଳେ ସାଇଣ୍ଟିଫିକ୍ ଅଫିସର ଓ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ଦ୍ବାରା ଫାରୋ ୩-ଡି ସ୍କାନର ମାଧ୍ୟମରେ ଏହାକୁ ଠାବ କରାଯାଇଛି । ସେହିଭଳି ନବ ଦାସଙ୍କ ଭେସେରା ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe