କନକ ବ୍ୟୁରୋ : ଗୋଟିଏ କି ଦୁଇଟି ନୁହେଁ,ମହିଳା ମାନଙ୍କୁ ନିଜ ମାୟା ଜାଲରେ ଫସାଇ କଳା କନା ବୁଲାଇବାରେ ଏକାଥରକେ ଶତକ ମାରିଛି ସତ୍ୟଜିତ ସାମଲ। ବ୍ରହ୍ମପୁର ଅଞ୍ଚଳର ଜଣେ ମହିଳା ସତ୍ୟଜିତ ବିରୋଧରେ କ୍ୟାପିଟାଲ ଥାନା ପୋଲିସର ଦ୍ୱାରସ୍ଥ ହେବା ପରେ ତାର ଆଉ ଏକ କଳା କାରନାମା ସାମନାକୁ ଆସିଛି । ବ୍ରହ୍ମପୁର ଅଞ୍ଚଳର ଜଣେ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ପ୍ରାୟ ଏକ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଛି ରସିକ ସତ୍ୟଜିତ ସାମଲ । ଏକ ବ୍ୟାଙ୍କରେ ନିଜ ସୁନା ବନ୍ଧକ ପକାଇ ରୁଣ ଆଣି ଏହି ଠକକୁ ଟଙ୍କା ଦେବା ପରେ ସେ ଧୋକା ଦେଇ ଚାଲିଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଜଣକ । ସେପଟେ ଏହି ଅଭିଯୋଗର ତଦନ୍ତ କରିବା ସମୟରେ ସତ୍ୟଜିତର ଆଉ ଏକ ନିଶାନ୍ କାରକୁ ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ମାମଲାକୁ ଗୁରୁତର ସହ ନେଇ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରି ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ତଦନ୍ତ କରୁଛି ପୋଲିସ।
୨୦୨୨ ମସିହାରୁ ସତ୍ୟଜିତ ବିବାହ ବିଛ୍ଛେଦ ହୋଇଥିବା ମହିଳା ମାନଙ୍କୁ ଟାର୍ଗେଟ କରି ନିଜ ଜାଲରେ ଫସାଉଥିବା ଜାଣିବାକୁ ପାଇଛି ପୋଲିସ ା ତେବେ ଗୁରୁତ୍ୱପୁର୍ଣ କଥା ହେଉଛି ଆହୁରି କେତେଜଣ ମହିଳାଙ୍କୁ ସେ ନିଜ ଜାଲରେ ଫସାଇ ଟଙ୍କା ଲୁଟ କରିଛି ତାର ତଦନ୍ତ ପାଇଁ ତାକୁ ପୁଣି ଦ୍ୱିତିୟ ଥର ପାଇଁ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା ପୋଲିସ। ତେବେ ୫ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ଅନ୍ୟପଟେ ସତ୍ୟଜିତ ନିକଟରୁ ମିଳିଥିବା ପେନ ଡ୍ରାଇଭ,ଫୋନ,ଲାପଟପ ଓ ହାର୍ଡ ଡିସ୍କ କୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରୋଟୋରିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଆଉ କେଉଁମାନେ ଫସିଛନ୍ତି ତାହା ସ୍ପଷ୍ଟ ହେବ ବୋଲି ଜଣା ପଡିଛି।
ଯଦି ଅନ୍ୟ କେହି ମହିଳା ସତ୍ୟଜିତ ଦ୍ୱାରା ଠକାମିର ଶିକାର ହୋଇଛନ୍ତି ତେବେ ତୁରନ୍ତ କ୍ୟାପିଟାଲ ଥାନାରେ ଆସି ଅଭିଯୋଗ କରିବାକୁ କହିଛନ୍ତି ଡିସିପି ।