ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ:‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’

86

କନକ ବ୍ୟୁରୋ: ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ । ସପ୍ତମ ସଂସ୍କରଣରେ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୪ ପୁରସ୍କୃତ ହୋଇଛନ୍ତି ୫ଟି ବର୍ଗରେ ୧୫ ଶିଳ୍ପସଂସ୍ଥା । ଭର୍ଚୁଆଲ୍ରେ ଅଭିବାଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବ୍ୟବସାୟରେ ବ୍ରାଣ୍ଡ୍ର ମହତ୍ୱ ବୁଝାଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ।

ଦୈନିକ ଖବରକାଗଜ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଛି କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ ୨୦୨୪ । ୫ଟି ବର୍ଗରେ ୧୫ଟି ଶିଳ୍ପକୁ ‘ବ୍ରାଣ୍ଡସ୍ ଅଫ୍ ଓଡି଼ଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଭାବେ ମନୋନୀତ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଅଭିବାଦନ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏବଂ ବ୍ରାଣ୍ଡର ମହତ୍ୱକୁ ବୁଝାଇ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ମାନବ ସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର ।

ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସର ସପ୍ତମ ସଂସ୍କରଣରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ, ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଇମର୍ଜିଂ ବା ଷ୍ଟାର୍ଟଅପ ଭଳି ୫ଟି ବର୍ଗରେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର ପୁରସ୍କାର ପ୍ରଦାନ କରାଯାଇଛି । ମୋଟ୍ ଦେଢଶହ ସଂସ୍ଥା ମଧ୍ୟରୁ ସ୍ୱତନ୍ତ୍ର ଜୁରୀଙ୍କ ଦ୍ୱାରା ୧୫ଟି ଶିଳ୍ପ ସଂସ୍ଥାକୁ ପୁରସ୍କାର ପାଇଁ ମନୋନୟନ କରାଯାଇଥିଲା ।

ଅନେକ ଶିଳ୍ପ ଓଡିଶାରେ ବ୍ୟବସାୟ ଆରମ୍ଭ କରି ମଧ୍ୟ ଅନ୍ତର୍ଜାତୀୟ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି । ତେଣୁ ଓଡିଶାର ବିକାଶ ଧାରାରେ ଯୋଡି ହେବାପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ବାଦ ଗ୍ରୁପ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଛି ।