କନକ ବ୍ୟୁରୋ: ମହାରାଷ୍ଟ୍ରର ପ୍ରବାଳଗଡ଼ ଦୁର୍ଗ ଉପରେ ‘ସେଲ୍ଫି’ ଉଠାଇବା ବେୁଳେ ପୁଣେର ଜଣେ ନବବିବାହିତା ୨୪ ବର୍ଷୀୟ ତରୁଣୀ ୨୦୦ ଫୁଟ୍ ତଳେ ଥିବା ଖାଇରେ ପଡ଼ି ପ୍ରାଣ ହରାଇଥିବା କଥା ପୁଲିସ କହିଛି। ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଘଟଣାକୁ ପନବେଲ୍ ତାଲୁକ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ପଞ୍ଜିକରଣ କରିଛି।
ପ୍ରାପ୍ତ ତଥ୍ୟରେ ଉଲ୍ଲେଖ ଅଛି, ମୃତା ତରୁଣୀ ହେଉଛନ୍ତି ପୁଣେ ଅନ୍ତର୍ଗତ ତତ୍ତବାଡ଼ିବାସିନୀ ଶୁଭାଙ୍ଗୀ ପଟେଲ୍। ଶୁଭାଙ୍ଗୀ ଓ ତାଙ୍କର ୨୭ ବର୍ଷିୟ ସଫ୍ଟୱେର ଇଞ୍ଜିନିୟର୍ ସ୍ୱାମୀ ବିନାୟକ ପଟେଲଙ୍କର ଡିସେମ୍ବର ୮ ତାରିଖ ଦିନ ବାହାଘର ହୋଇଥିଲା। ପରିବାର ଲୋକେ ଆୟୋଜନ କରି ଦୁହିଁଙ୍କର ବିବାହ କରାଇଥିଲେ।
ବୁଧବାର ଦିନ ସେମାନେ ଲୋନାବଲା ଅଭିମୁଖେ ଯାଇଥିଲେ। ଗୁରୁବାର ସକାଳେ ପର୍ବତାରୋହଣ କରି ଦୁହେଁ ମାଚି ପ୍ରବାଳଗଡ଼ ଦୁର୍ଗକୁ ଦେଖିବାକୁ ଗଲେ। ଅପରାହ୍ଣ ପ୍ରାୟ ୨.୩୦ରେ ଶିବାଙ୍ଗୀ ପର୍ବତ ଖାଇର ଧାରରେ ଠିଆ ହୋଇ ‘ସେଲ୍ଫି’ ଉଠାଉଥିଲେ। ହଠାତ୍ ତାଙ୍କର ଗୋଡ଼ ଖସିଯିବାରୁ ସେ ସନ୍ତୁଳନ ରକ୍ଷା ନ କରିପାରି ଖାଇରେ ପଡ଼ିଗଲେ ବୋଲି ତାଙ୍କ ସ୍ୱାମୀ ବିନାୟକ କହୁଥିବା କଥା ପନବେଲ୍ ତାଲୁକ ଥାନାର ବରିଷ୍ଠ ଇନ୍ସପେକ୍ଟର୍ ଅନୀଲ ପାଟିଲ୍ କହିଛନ୍ତି।
ଶୁଭାଙ୍ଗୀ ପଡ଼ିଯିବା ପରେ ବିନାୟକ ତୁରନ୍ତ ପନବେଲ୍ ତାଲୁକ ଥାନାକୁ ସୂଚନା ଦେଲେ। ଦୁର୍ଗ ଉପରେ ଥିବା କେତେକ ପର୍ବତାରୋହୀ ଓ ସ୍ଥାନୀୟ ‘ଏନ୍ଜିଓ’ ‘ନିସର୍ଗ ମିତ୍ର’ର ଉଦ୍ଧାରକାରୀ ଟିମର ସଦସ୍ୟମାନେ ଦଉଡ଼ି ଯୋଗେ ଖାଇ ତଳକୁ ଓହ୍ଲାଇଥିଲେ। ପ୍ରାୟ ୨୦୦ ଫୁଟ୍ ତଳେ ସେମାନେ କ୍ଷତବିକ୍ଷତ ହୋଇ ପଡ଼ିଥିବା ଶୁଭାଙ୍ଗୀଙ୍କୁ ଉଦ୍ଧାର କରି ଆଣିଥିଲେ। ତୁରନ୍ତ ତାଙ୍କୁ ପନବେଲ୍ ଉପଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ, ମସ୍ତିଷ୍କରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା କଥା ଡାକ୍ତରମାନେ କହିଲେ। ଶୁଭାଙ୍ଗୀଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କଥା ପୁଲିସ କହିଛି।