ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଶପଥ ନେଉଛନ୍ତି ନୂଆ ବିଧାୟକ ।

171

କନକ ବ୍ୟୁରୋ : ଆଜି ମହାରାଷ୍ଟ୍ରରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଶିବସେନା-ଏନସିପି-କଂଗ୍ରେସ ସରକାର ଶପଥ ନେବା ଆଗରୁ ନୂଆ ବିଧାୟକଙ୍କୁ ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ବିଧାୟକ ମାନଙ୍କୁ ବସ୍ ଯୋଗେ ଆଣିବା ପରେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ଏନସିପି ନେତ୍ରୀ ସୁପ୍ରିୟା ସୁଲେ । ସ୍ୱତନ୍ତ୍ର ଚେକିଂ ଗେଟ୍ ଦେଇ ଆସିବା ସମୟରେ ଜଣ ଜଣ କରି ସମସ୍ତଙ୍କୁ ସୁପ୍ରିୟା ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି ।

ଗତକାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଶିବସେନା-ଏନସିପି ଓ କଂଗ୍ରେସର ନିର୍ବାଚିତ ନେତା ଉଦ୍ଧବ ଠାକରେ ଦାବି ଜଣାଇ ସାରିବା ପରେ ଆଜି ବସିଛି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ମେଂଟ ସରକାର ନିକଟରେ ଥିବା ୧୬୨ ବିଧାୟକଙ୍କ ସହିତ ଅନ୍ୟ ବିଧାୟକଙ୍କୁ ଆଜି ଶପଥ ପାଠ କରାଉଛନ୍ତି ଅସ୍ଥାୟୀ ବାଚସ୍ପତି କାଳିଦାସ କୋଲମ୍ବକର । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା ।

ଆଜି ଅସ୍ଥାୟୀ ବାଚସ୍ପତି ସ୍ୱତନ୍ତ୍ର ଅଧିବେଶନରେ ବିଧାୟକଙ୍କୁ ଶପଥ ପାଠ କରାଇବା ପରେ ଆସନ୍ତାକାଲି ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ସଂଧ୍ୟା ପ୍ରାୟ ୬ଟା ୪୦ ମିନିଟରେ ଏହି ଶପଥ ପାଠ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ହେବାରେ ଉଦ୍ଧବ ହେବେ ଠାକରେ ପରିବାରର ପ୍ରଥମ ସଦସ୍ୟ । କଂଗ୍ରେସ, ଶିବସେନା ଏବଂ ଏନସିପିକୁ ନେଇ ମିଳିତ ବୈଠକରେ ଗତକାଲି ଉଦ୍ଧବଙ୍କୁ ନେତା ନିର୍ବାଚିତ କରାଯାଇଥିଲା । ଶିବସେନା-ଏନସିପି ଓ କଂଗ୍ରେସ ମେଂଟକୁ ମହାରାଷ୍ଟ୍ର ବିକାଶ ଅଘାଡି ନାମକରଣ କରାଯାଇଛି । ଏହି ମେଂଟ ଆଗାମୀ ୫ ବର୍ଷ ପାଇଁ ଶାସନ କରିବ ବୋଲି ଦାବି କରିଛି ଶିବସେନା ।